ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ଯେଉଁ କର୍ମଚାରୀଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛିଦିନ ତଳେ ବିଧାନସଭାରେ ଏକ କମିଟି ବୈଠକ ଅନୁଷ୍ଠିତ ହୋଇଥଲା। ଏହି ବୈଠକରେ ଯୋଗଦେଇଥିବା ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବିଧାନସଭାର ସବୁ କର୍ମଚାରୀଙ୍କୁ ଟେଷ୍ଟ ପାଇଁ କୁହାଯାଇଥିଲା। ୫ଜଣଙ୍କର କରୋନା ରିପୋର୍ଟ ପଜିଟିଭ ଆସିବାରୁ ବିଧାନସଭାକୁ ୩୧ ତାରିଖ ଯାଏଁ ବନ୍ଦ ରହିବ ବୋଲି ବାଚସ୍ପତି କହିଛନ୍ତି।