ବିନା ସୁଧରେ ଚାଷୀଙ୍କୁ ମିଳିବ 50 ହଜାର ପର୍ଯ୍ୟନ୍ତ ଋଣ

ଭୁବନେଶ୍ଵର 09 / 06 : ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟର 60 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି ଏବଂ ଚଳିତବର୍ଷ 96ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି । ଚାଷୀଙ୍କ କଥା ବୁଝିବାକୁ ପ୍ରତି ସୋମବାର ପଞ୍ଚାୟତ ଖୋଲିବ । ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଆମେ ପଦକ୍ଷେପ ନେଇଛୁ । ଜଳ, ପୋକ ସମସ୍ୟା ପାଇଁ ମଧ୍ୟ ଚାଷୀ ସହାୟତା ନେଇପାରିବେ ବୋଲି ସେ କହିଛନ୍ତି । 6ଟି ବିଭାଗର କର୍ମଚାରୀ ବ୍ଲକ ସ୍ତରରେ କାମ କରୁଛନ୍ତି । ଏହାସହ ପ୍ରତି ଜିଲ୍ଲାରେ ନୋଡ଼ାଲ୍ ଅଫିସର କାର୍ଯ୍ୟ କରୁଛନ୍ତି । ନିଜ ଜମିରେ ଜଳାଶୟ ପାଇଁ ମୋ ପୋଖରୀ ଯୋଜନା ଚାଲିଛି । ଚାଷୀଙ୍କ ପାଇଁ 5ଲକ୍ଷ କୁଇଣ୍ଟାଲ ବିହନ ଯୋଗାଇ ଦିଆଯିବ । ଫସଲ ବୀମାରେ 30 ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାସହ ଚାଷୀଙ୍କୁ ବିନା ସୁଧରେ 50 ହଜାର ଟଙ୍କା ଋଣ ଯୋଗାଇଦିଆଯିବ । ଖରିଫ ଚାଷୀଙ୍କୁ 2649 କୋଟି ଟଙ୍କାର ଋଣ ଯୋଗାଯାଇଛି । ଏହି ଯୋଜନାରେ 50 ହଜାରରୁ 3 ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନର ବ୍ୟବସ୍ଥା ରହିଛି । ଗତ ବର୍ଷ ଖରିଫ ଋତୁ ଅପେକ୍ଷା ଚଳିତବର୍ଷ 40 ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି ।