କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏଣିକି ସୂର୍ଯ୍ୟାସ୍ତ ପରେ ବି ହେବ ପୋଷ୍ଟମର୍ଟମ

ନୂଆଦିଲ୍ଲୀ ୧୫/୧୧ : ଏଣିକି ସୂର୍ଯ୍ୟାସ୍ତ ପରେ ବି ହେବ ପୋଷ୍ଟମର୍ଟମ । ଦେଶରେ ଶବଗୁଡିକର ପୋଷ୍ଟମର୍ଟମ ପାଇଁ ଲାଗୁ ହେଲା ନୂଆ ନିୟମ । କେନ୍ଦ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡବୀୟ ସୋମବାର ଏ ନେଇ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିଷ୍ପତ୍ତି କ୍ରମେ ଦେଶର ଯେଉଁ ହସ୍ପିଟାଲଗୁଡିକରେ ରାତିରେ ମଧ୍ୟ ପୋଷ୍ଟମର୍ଟମ କରିବାର ସୁବିଧା ଉପଲବ୍ଧ ଅଛି ସେଠାରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ଶବ ବ୍ୟବଚ୍ଛେଦ ହୋଇପାରିବ ।

ଟ୍ବିଟ୍‌ କରି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡବୀୟ କହିଛନ୍ତି, ‘ଇଂରେଜ ବେଳର ବ୍ୟବସ୍ଥା ଶେଷ ହୋଇଛି । ଏଣିକି ୨୪ ଘଣ୍ଟା ହେବ ପୋଷ୍ଟମର୍ଟମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଡ୍‌ ଗର୍ଭନାନ୍ସକୁ ଆଗକୁ ବଢାଇବା ପାଇଁ ଏଭଳି ପଦ​‌କ୍ଷେପ ନିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ଯେ ଯେଉଁ ହସ୍ପିଟାଲଗୁଡିକରେ ରାତିରେ ମଧ୍ୟ ପୋଷ୍ଟମର୍ଟମ କରିବାର ସୁବିଧା ରହିଛି ଦେଠାରେ ଶବଗୁଡିକର ରାତିରେ ମଧ୍ୟ ପୋଷ୍ଟମର୍ଟମ କରାଯିବ । ଯାହା ଫଳରେ ମୃତକଙ୍କ ପରିବାର ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ନାହିଁ ।’

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, କେଉଁ ଶବ ଗୁଡିକର ପୋଷ୍ଟମର୍ଟମ ରାତିରେ ହୋଇପାରିବ ନାହିଁ । ନିଷ୍ପତ୍ତି ଅନୁଯାୟୀ, ହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ, କ୍ଷତ ବିକ୍ଷତ ଶବ ଭଳି ମାମଲାରେ ରାତିରେ ପୋଷ୍ଟମର୍ଟମ କରାଯିବ ନାହିଁ । ଏହି ନିଷ୍ପତ୍ତି ମୁତାବକ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରମାନଙ୍କୁ ସୂଚନା ଦିଆଯାଇ ସାରିଛି ।