୮ ଲକ୍ଷ ଭାରତୀୟଙ୍କୁ ବିଦା କରିବ କୁଏତ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ମହାମାରୀ କୋଭିଡ୍-୧୯ର ପ୍ରାଦୁର୍ଭାବ ପରେ କୁଏତ୍‌ରେ ପ୍ରବାସୀମାନଙ୍କ ସ୍ଥାୟୀ ରହଣି ବିରୋଧରେ ଜନମତ ଜାଗିବାରେ ଲାଗିଛି। ତେଣୁ ସେଠାରେ ବିଦେଶୀମାନଙ୍କ ଉପସ୍ଥିତି ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। କୁଏତ୍ ସଂସଦରେ ଆପ୍ରବାସନ ବିଲ୍ ଆଇନରେ ପରିଣତ ହେଲେ ସେଠାରେ ବସବାସ କରୁଥିବା ସାଢ଼େ ୧୪ ଲକ୍ଷ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ୮ ଲକ୍ଷରୁ ଅଧିକ ସ୍ବଦେଶ ଫେରିବାକୁ ବାଧ୍ୟ ହେବେ। କୁଏତ ଲୋକସଂଖ୍ୟାର ୧୫ ପ୍ରତିଶତରୁ ଅଧିକ ବିଦେଶୀ ନରହିବା ନେଇ ବିଲ୍‌ରେ ପ୍ରସ୍ତାବ ରହିଛି।

କୁଏତ୍‌ର ମୋଟ ଲୋକସଂଖ୍ୟା ୪୩ ଲକ୍ଷ ହୋଇଥିବାବେଳେ ଏଥିରୁ ପ୍ରାୟ ୩୦ ଲକ୍ଷ ହେଉଛନ୍ତି ବିଦେଶୀ। ଏମାନଙ୍କ ମଧ୍ୟରୁ ସାଢ଼େ ୧୪ ଲକ୍ଷ ହେଉଛନ୍ତି ଭାରତୀୟ । ସେଥି ମଧ୍ୟରୁ ୨୮ ହଜାର ଭାରତୀୟ କୁଏତ୍‌ର ବିଭିନ୍ନ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ଘରୋଇ ସଂସ୍ଥାରେ ସର୍ବାଧିକ ୫ ଲକ୍ଷ ୨୩ ହଜାର ନିୟୋଜିତ ଅଛନ୍ତି। ଚିଠାପ୍ରସ୍ତାବ ଆଇନରେ ପରିଣତ ହେଲେ ସର୍ବାଧିକ ୬ ଲକ୍ଷ ୨୨ ହଜାର ଭାରତୀୟ ସେଠାରେ ରହିପାରିବେ। ବାକି ୮ ଲକ୍ଷରୁ ଅଧିକ ପ୍ରବାସୀ ଭାରତ ଫେରିବାକୁ ହେବ।