ମୁଖ୍ୟମନ୍ତ୍ରୀ : କରୋନା ବିରୋଧରେ ଲଢ଼ିବାକୁ ମହାପ୍ରଭୁ ଦେଇଛନ୍ତି ୩ଟି ଅସ୍ତ୍ର

ଚଳିତ ବର୍ଷ ରଥଯାତ୍ରା ଇତିହାସ ସୃଷ୍ଟି କରିଛି। ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ଏହି କୋଭିଡ ଯୁଦ୍ଧକୁ ଜିତିବାକୁ ହେଲେ ଆମକୁ ମହାପ୍ରଭୁଙ୍କ ଏହି ତିନୋଟି ମାର୍ଗ ଆପଣାଇବାକୁ ପଡ଼ିବ। ଏହି ତିନୋଟି ଅସ୍ତ୍ର ହିଁ ଆମକୁ କୋଭିଡ ଯୁଦ୍ଧରେ ବିଜୟ ଆଣିଦେବ।

ଏଥର ରଥଯାତ୍ରାରେ ପୁରୀବାସୀ ଦେଖାଇଥିବା ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ଼ କରେ। ଏହି ତ୍ୟାଗ ଓ ଶୃଙ୍ଖଳାର ସହ କାମ କରି ଆମେ ବିଶ୍ୱ ପାଇଁ ଉଦାହରଣ ସାଜିଛୁ। ସେଥିପାଇଁ ସେବାୟତ ବନ୍ଧୁ, ପ୍ରଶାସନ, ପୁରୀବାସୀ ତଥା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ମୋର ଧନ୍ୟବାଦ।

କୋଭିଡର ପ୍ରତିଷେଧକ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ଏପରି ତ୍ୟାଗ କରିବାକୁ ପଡିବ। ତେଣୁ କୋଭିଡ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ ପାଇଁ ସମସ୍ତଙ୍କୁ ବିଶେଷ କରି ଯୁବ ସମାଜକୁ ମୁଁ ଆହ୍ୱାନ କରୁଛି। ଆସନ୍ତୁ ଏହି ତ୍ୟାଗ ଓ ଶୃଙ୍ଖଳାର ଧାରାକୁ ବଜାୟ ରଖି ସାରା ବିଶ୍ୱକୁ ଆମ ଓଡ଼ିଆ ଏକତାର ପରିଚୟ ଦେବା।