ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଭଉଣୀ ମାନଙ୍କୁ ନେଇ ମା’କନକଦୂର୍ଗା ନିଜ ସାହିରେ ଭ୍ରମଣ କରାଇଲେ : ବକାସୁର ବଧ ଦେଖିବାକୁ ପ୍ରବଳ ଭିଡ଼

ବାଲିଗୁଡା, ତା, ୨୭/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ମଙ୍ଗଳବାର ୨୨ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୬ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ଏଣୁ ସପରିବାରେ ଆସି ମା ‘ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ୨୨ ଦିନରେ ନୂଆସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ l ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ଆଦିବାସୀ ଡାକୁଲ ନୃତ୍ୟ, ଅଷ୍ଟ କାଳୀ, ଅଘୋରୀ ବାବା ଙ୍କ ନୃତ୍ୟ, ରାମ ଲକ୍ଷ୍ମଣ ସୀତା, ପରଭା ନୃତ୍ୟ, ଦୁଲଦୁଲି, ଛାପା ନୃତ୍ୟ, ସଂକୀର୍ତନ ମଣ୍ଡଳୀ, ବକାସୁର ବଧ ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ପାଟଖଣ୍ଡା ସାହି ଛକ, ବସଷ୍ଟାଣ୍ଡର ସମ୍ମୁଖ, ବୁଡ଼ାଗୁଡା ରାସ୍ତା ଛକ, କଳ୍ପନା ଛକ ଦେଇ ନୁଆସାହିରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ l ଉକ୍ତ ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ l ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା l ବୁଧବାର ଦିନ ମା’ପାଟଖଣ୍ଡା ଙ୍କ ନିଜସ୍ୱ ସାହି ପାଟଖଣ୍ଡା ସାହିକୁ କୁ ନିଜ ଭଉଣୀ ମାନଙ୍କୁ ନେଇ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଗୁରୁବାର ମା’ ଙ୍କ ବିଶ୍ରାମ ଦିବସ ରହିଛି l ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି l ଏଥିରେ ଯାତ୍ରା କମିଟି ସହ ନୁଆସାହି ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l