ନୂଆଦିଲ୍ଲୀ ୧୭/୦୬ : ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିବା ପରେ ଭାରତୀୟ ଆର୍ମି ସମସ୍ତ ଯବାନଙ୍କ ଛୁଟି ବାତିଲ୍ କରିଛି। ଚୀନର ମୁକାବିଲା ପାଇଁ ଜଳ, ସ୍ଥଳ ଓ ବାୟୁସେନାକୁ ସଂପୂର୍ଣ୍ଣ ଆଲର୍ଟରେ ରଖାଯାଇଛି।
ଏଲଏସିରେ ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଶସ୍ତ୍ର ବଳକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ଵତ ତିନି ସେନାରେ ସମନ୍ଵୟ ରଖି ଆବଶ୍ୟକ ଅନୁଯାୟୀ ପ୍ରାଥମିକତା ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚୀନର ମୁକାବିଲା ପାଇଁ ମଲକ୍କା ଷ୍ଟ୍ରେଟ୍ ନିକଟ କିମ୍ବା ଆବଶ୍ୟକ ପଡିଲେ କାଉଣ୍ଟର ଲାଗି ଭାରତ ମହାସାଗରରେ କେଉଁଠି ଆଗକୁ ବଢିବାକୁ ନୌସେନାକୁ ନିର୍ଦ୍ଦେଶ ଦିଆଯାଇଛି। ନୌସେନା ଯୁଦ୍ଧ ପୋତ ଓ ଜାହାଜ ସହିତ ସାମୁଦ୍ରିକ ସୀମାରେ ତୀକ୍ଷ୍ଣ ନଜର ରଖିଛି।
ସେହିପରି ବାୟୁସେନା ନେଇଛି ଜରୁରୀ ପଦକ୍ଷେପ। ଚୀନ ସୀମାରେ ଗମ୍ଭୀର ସ୍ଥିତିକୁ ଦେଖି ଲଢୁଆ ବିମାନକୁ ଆଗକୁ ବଢାଇ ଅଗ୍ରୀମ ଘାଟିରେ ମୁତୟନ କରାଯାଇଛି। ସୂତ୍ର ଅନୁଯାୟୀ ଭାରତୀୟ ସେନା ନିଜର ଯବାନଙ୍କ ଛୁଟି ବାତିଲ୍ କରିଛି। କୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତିର ସାମନା କରିବାକୁ ତିନି ସେନାକୁ ଅସ୍ତ୍ର ଶସ୍ତ୍ର କିଣିବାକୁ ସ୍ଵାଧୀନତା ଦିଆଯାଇଛି। ଲଦାଖରେ ଜାରି ବିବାଦର ସମାଧାନ ପାଇଁ ଭାରତ ଆଲୋଚନା ଚାଲିଥିବା ବେଳେ ସୋମବାର ସୀମାରେ ହିଂସା ଘଟିଛି। ଏହାପରେ ସରକାର ଆଉ ନିରବ ରହିବାକୁ ଚାହୁଁ ନାହାନ୍ତି। ଏହି କାରଣରୁ ଚୀନକୁ ନେଇ ସରକାର ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି।