ବାଣପୁର,ଘାସଡିହ ଠାରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା!!

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲାରେ ଚୈତ୍ର ମାସରେ ହେଉଥିବା ପାରମ୍ପରିକ ଦଣ୍ଡ ଯାତ୍ରା ସୋମ ବାର ରୁ ଆରମ୍ଭ ହୋଇଛି। ଆଜି ପ୍ରଥମ କରି 19 ଦିନିଆ ଦଣ୍ଡ ଯାତ୍ରା ବାହାରିଛି। ଘାସଡିହ ସ୍ଥିତ ବାବା ଗାଦୀଶ୍ଵରଦଣ୍ଡ ଦଳ ପକ୍ଷରୁ ଦଣ୍ଡକାଳୀ ମନ୍ଦିରରେ ଦିନକ ପୂର୍ବରୁ ପ୍ରସ୍ତୁତି କରାଯାଇ ଥିବା ବେଳେ ଆଜି ସମସ୍ତ ଭଗତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଥିଲା। ଏହା ପରେ ଦଣ୍ଡୁଆମାନେ ସ୍ନାନ, ପଇତା ଧାରଣ, ମହାଦେବ ଓ ମା’ କାଳୀଙ୍କ ପୂଜା କରି ପଟୁଆରରେ ବାହାରିଥିଲେ। ଏହି ଯାତ୍ରା ସମୟରେ ଭଗତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ। ଶରୀରକୁ କଷ୍ଟ ଦେଇ ଶକ୍ତିରୂପୀ ମା’ କାଳୀଙ୍କ ଆରାଧନା କରାଯାଏ। ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଆଦି କରିଥାନ୍ତି। କାମ ବାସନା, କ୍ରୋଧ, ମୋହ, ପରିବାର ସମ୍ପର୍କ ଆଦି ତ୍ୟାଗ କରି ସନ୍ନ୍ୟାସୀ ତୁଲ୍ୟ କଠୋର ସମୟ‌ ଅତିବାହିତ କରିବାକୁ ପଡ଼େ। ଏଭଳି ସାଧନା ଓ ଆରାଧନାରେ ଦେବୀ ସନ୍ତୁଷ୍ଟ ହୋଇ ଭଗତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ମା କାଳୀଙ୍କ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ଭାଟପଡା ସୀମା ଓ ଘାସଡିହ ଗ୍ରାମରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ।ଆଜି ଘାସଡିହ ଠାରେ ସମସ୍ତ ଦଣ୍ଡ ଦଳ ପକ୍ଷରୁ ପାଣିଦଣ୍ଡ, ଅଗ୍ନି ଦଣ୍ଡ, ଧୂଳି ଦଣ୍ଡ ଏବଂ ରାତିରେ ବାବା ଗାଦିଶ୍ୱର ଙ୍କ ସ୍ଥାନରେ ମନୋରଞ୍ଜନ ପାଇଁ ନାଟକ ମୁଁ ଭଦ୍ରକିୟା ଟୋକା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି!!