ରାୟଗଡା,୨୮/୧୨ (ପ୍ରଫୁଲ୍ଲ କୁମାର ବେହେରା) : ପ୍ରେସ୍ ୟୁନିୟନ ରାୟଗଡା ଡିଷ୍ଟ୍ରିକ୍ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ରାୟଗଡା ସହରର ସ୍ଥାନୀୟ ହୋଟେଲ କୈଳାସ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସମେତ ସଂଘର ଉପଦେଷ୍ଠା ଶିବ ନାରାୟଣ ଗଉଡ,ଉପସଭାପତି ଆଲାରାମ ଭାତ୍ରା ଓ ସାଧାରଣ ସଂପାଦକ ବିଜୟ କୁମାର ମହାରଣା ମଂଚାସୀନ ହୋଇଥିଲେ । ଅତିଥିମାନେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସଂଘ ସଭ୍ୟା ଭାଗ୍ୟଶ୍ରୀ ମିଶ୍ର ମଂଚ ପରିଚାଳନା କରିବା ସହ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସାଧାରଣ ସଂପାଦକ ଶ୍ରୀ ମହାରଣା ସଂପାଦକୀୟ ବିବରଣୀ ପଠନ କରିଥିବା ବେଳେ ସଭାପତି ଶ୍ରୀ ସୂର୍ଯ୍ୟ ସଂଘ ଗଠନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ସାମ୍ବାଦିକଙ୍କ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ରାଶି ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ରାଜଧାନୀ ଭୁବନେଶ୍ୱରରେ ସାମ୍ବାଦିକ ଭବନ ନିର୍ମାଣ କରିବା ଭଳି ଅନ୍ୟାନ୍ୟ ଦାବି ସରକାରଙ୍କ ଠାରେ ଉପସ୍ଥାପନା କରାଯାଉଥିବା ବିଷୟରେ ପ୍ରକାଶ କରିଥିଲେ । ମୁଖ୍ୟ ଅତିିଥି ଶ୍ରୀମତି ମାଝି ସଂଘର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାମ୍ବାଦିକମାନେ ସବୁବେଳେ ନିର୍ଭିକ ସାମ୍ବାଦିକତା କରି ସମାଜକୁ ଦିଗଦର୍ଶନ ଦେଉଛନ୍ତି ବୋଲି କହିଥିଲେ । ସେହିପରି ସମ୍ମାନୀତ ଅତିଥି ଶ୍ରୀ ପ୍ରଧାନ ଏବଂ ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି ମଧ୍ୟ ସମାଜର ଯେ କୈାଣସି ମୂହୁର୍ତର ଖବର ଅତିଶୀଘ୍ର ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଦାୟିତ୍ୱ,କର୍ତବ୍ୟ ଓ ନିଷ୍ଠାପର ଭାବେ ନିର୍ଭିକ ସାମ୍ବାଦିକତା କରି ସମାଜରେ ସତ୍ୟ ଖବର ପରିବେଷଣ କରି ମୈାଳିକ ଅଧିକାର ପାଇବାରୁ ବଂଚିତ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରଶାସନ ପାଖେ ପଂହଚାଇ ପାରୁଛନ୍ତି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଉତ୍କଳ ଆଲୁମିନା କମ୍ପାନୀର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ଡଃ.ଲୋପାମୁଦ୍ରା ପ୍ରିୟଦର୍ଶନୀ,ଇମ୍ଫାର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ,ମହିଳା ସାମ୍ବାଦିକ ଭାଗ୍ୟଶ୍ରୀ ମିଶ୍ର,ସାମ୍ବାଦିକ ହାଡିପା ଗୈାଡ,କାଶିନାଥ ପାଳ,ପ୍ରକୃତି ମିତ୍ର ରବି ନାରାୟଣ ଦାଶ,କୃଷି କର୍ମଣ ସହଦେବ ମେଲକା ଓ ଗ୍ରାମ୍ୟ ବୈଦ୍ୟ ସମ୍ମାନରେ ଶେଖ୍ ସଲିମ୍ ଖାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ ଏବଂ ଶେଷରେ ମହିଳା ସାମ୍ବାଦିକ ଭାଗ୍ୟଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।