ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ପ୍ରସଙ୍ଗକୁ ନେଇ ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ପୁରୀ ରଥଯାତ୍ରା କରାଇବାକୁ ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ପୁରାଣ ଓ ଇତିହାସର ଉଦାହରଣ ଦେଇ ରଥଯାତ୍ରା ସଂପର୍କରେ ନିଜ ମତ ଦେଇଛନ୍ତି। ଗଜପତି ଲେଖିଛନ୍ତି ରଥଯାତ୍ରା ଉପରେ ନିଷେଧାଦେଶ ବିରୋଧରେ ସୁପ୍ରିିମ୍ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାହାର ପୁନର୍ବିଚାର ଲାଗି ରାଜ୍ୟ ସରକାର ଆଉଥରେ ସୁପ୍ରିମ କୋର୍ଟ ଯିବାକୁ ସେ ଅନୁରୋଧ କରିଛନ୍ତି।
ଗଜପତି ମହାରାଜ ଦର୍ଶାଇଛନ୍ତି ଜଗନ୍ନାଥ ଅବତାର ନୁହଁନ୍ତି; ଅବତାରୀ। ମହାପ୍ରଭୁ ତାଙ୍କର ଭକ୍ତମାନଙ୍କୁ ଦେଖାକରିବା ପାଇଁ ବର୍ଷରେ ଥରଟିଏ ବଡ଼ଦାଣ୍ଡକୁ ବାହାରି ଥାଆନ୍ତି। ପୁରୀ ଜଗନ୍ନାଥଙ୍କ ମୂଳପୀଠ ହୋଇଥିବାରୁ ସେଠାରେ ରଥଯାତ୍ରା ବନ୍ଦ କରିବା ଠିକ୍ ନୁହେଁ। ରେକର୍ଡସ ଅଫ୍ ରାଇଟସ୍ ଅନୁଯାୟୀ ରଥଯାତ୍ରା ହେବାକୁ ବାଧ୍ୟ। ଅତୀତରେ କୌଣସି ବିପର୍ଯ୍ୟୟ ଓ ମହାମାରୀ ବେଳେ ରଥଯାତ୍ରା ବନ୍ଦ ହୋଇ ନଥିଲା। କେବଳ ମୋଗଲ ଆକ୍ରମଣ ବେଳେ ଅସମ୍ଭବ ପରିସ୍ଥିତିରେ ରଥଯାତ୍ରା ବନ୍ଦ ହୋଇଥିଲା। ଆଇନତଃ ପରିଚାଳନା କମିଟି ପ୍ରତିବର୍ଷ ରଥଯାତ୍ରା କରିବାକୁ ବାଧ୍ୟ ବୋଲି ଗଜପତି ମହାରାଜ ଚିଠିରେ ଉଲ୍ଲେଖ କରିଛନ୍ତି।