ନୂଆଦିଲ୍ଲୀ ୨୦/୦୬ :କରୋନାରେ ଆଜି ଜଣେ ଓଡ଼ିଆ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଏହି ୩୯ ବର୍ଷୀୟ ଓଡ଼ିଆ ଡାକ୍ତର ଜଣଙ୍କ ବାଙ୍କୀର ଶିମିଳିପୁର ପଞ୍ଚାୟତରେ। ତାଙ୍କ ସ୍ତ୍ରୀ ଏବଂ ଛୁଆ ମଧ୍ୟ କରୋନା ଆକ୍ରାନ୍ତ ହୋଇ କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ଅଶ୍ୱିନୀ ପ୍ରତାପ ନୂଆଦିଲ୍ଲୀରେ ସିନିୟର କନସଲଟାଣ୍ଟ ଭାବେ ନିଯୁକ୍ତି ପାଇଥିଲେ।
ସୂଚନା ଅନୁଯାୟୀ, ଗତ ଜୁନ୍ ୧୬ ତାରିଖରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ଦୀପଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨ ଦିନ ପରେ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜୁନ୍ ୧୯ରେ ତାଙ୍କର ମଧୁମେହ ବଢ଼ି ଯାଇଥିଲା। ଶୁକ୍ରବାର ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ହେଲେ ଶେଷରେ ସେ ଆଖି ବୁଜିଛନ୍ତି। ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜରୁ ସେ ଏମବିବିଏସ ଏବଂ କମ୍ୟୁନିଟି ମେଡିସିନରେ ଏମଡି କରିଥିଲେ।