ଓଡ଼ିଶା ଏକ କଳା,ସଂସ୍କୃତି,ଐତିହ୍ୟ ପରମ୍ପରା ସମ୍ପନ୍ନ ରାଜ୍ୟ। ଓଡ଼ିଶାର ଏକ ପାରମ୍ପରିକ ପର୍ବ ହେଲା ଗହ୍ମା ପୂର୍ଣ୍ଣିମା ଓ ରାକ୍ଷୀ ପୂର୍ଣ୍ଣିମା। ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ପ୍ରଭୁ ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି ।ଓଡ଼ିଶାର ସବୁଆଡ଼େ ଅତି ଆନନ୍ଦଉଲ୍ଲାସରେ ପ୍ରତ୍ୟେକ ଚାଷୀ ଏବଂ ପରିବାରରେ ଏହି ପର୍ବ ଆଦର ଯତ୍ନରେ ପାଳନ ହୁଏ। ଗୋମାତା ପୁଜାସାରି ଚାଷୀ ମାନେ ନିଜ ନିଜ ଜମିବାଡ଼ିରେ ମଧ୍ୟ ଫୁଲ, ଦୀପ ଏବଂ ପିଠା ଦାନକରି ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିଥାନ୍ତି।ଏହି ପବିତ୍ର ଜନ୍ମୋତ୍ସଵ ବିଧି ବିଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ। ରାକ୍ଷୀ ପୂର୍ଣ୍ଣିମା ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ପାଳନ ହୋଇଥାଏ। ଶ୍ରୀମନ୍ଦିରରେ ଦେବୀ ସୁଭଦ୍ରା ତାଙ୍କ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି।
ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଧନ।ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ। ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ରାଜି ହୋଇଯାଏ। ତେବେ ଏହି ପ୍ରରମ୍ପରା ଆଜିକାଲିର ନୁହେଁ, ଏହା ପ୍ରାଚ଼ୀନ।
ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ।
ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ। ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ।ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ। ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।
ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି।କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ।ଏହି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅବସରରେ ସମସ୍ତ ଜନସାଧାରଣ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା।
ଲେଖକ – ବିଶ୍ବବିଜୟୀ ଦାଶ
ବି.ଏସସି,ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍ ନଂ – ୭୫୨୦୩୫
ମୋବାଇଲ୍ ନଂ- ୬୩୭୦୨୦୮୪୨୮