ଭୁବନେଶ୍ୱର,୨୯।୧: ସରକାରୀ ଚାକିରିରୁ ଆଉ ୯ ଅଧିକାରୀ ଆଜି ବିଦା ହୋଇଛନ୍ତି । ଦୁର୍ନୀତିଗ୍ରସ୍ତ ଓ ଅପାରଗତ କାରଣରୁ ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ପାଇଁ ୭, ଅପାରଗତା ପାଇଁ ୨ ଅଧିକାରୀଙ୍କୁ ବିଦା କରିଛନ୍ତି ସରକାର । ଖଣି, ଶ୍ରମ, ଜଙ୍ଗଲ ଓ ଜନସ୍ୱାସ୍ଥ୍ୟ ବିଭାଗର ୯ ଅଧିକାରୀ ବିଦା ହୋଇଛନ୍ତି । ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ, ଶ୍ରମ ବିଭାଗର ଜଣେ ଯୁଗ୍ମ କମିସନର ଏଥିରେ ସାମିଲ ଅଛନ୍ତି । ଉପନିର୍ଦ୍ଦେଶକ ମଦନମୋହନ ମିଶ୍ରଙ୍କ ନାଁରେ ଦୁର୍ନୀତି ପ୍ରମାଣିତ ହୋଇଛି । ମଦନମୋହନ ନାଁରେ ୯ଟି ଭିଜିଲାନ୍ସ ମାମଲା ରହିଛି ।
ଏହା ସହ ଖଣି ଅଧିକାରୀ ରମେଶ ଚନ୍ଦ୍ର ମହାଲିକ ବିଦା ହୋଇଛନ୍ତି । ରମେଶଙ୍କ ନାଁରେ ୪ଟି ଭିଜିଲାନ୍ସ ମାମଲା ରହିଛି । ବଲାଙ୍ଗିର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧିକାରୀ ପ୍ରଶାନ୍ତ ନାୟକ ମଧ୍ୟ ବିଦା ହୋଇଛନ୍ତି । ପ୍ରଶାନ୍ତଙ୍କ ନାଁରେ ରହିଛି ଭିଜିଲାନ୍ସ ମାମଲା । ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୧୩ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି ରାଜ୍ୟ ସରକାର ।