ପୁରୀ,୨୪।୧୦: ବଦଳୁଛି ପୁରୀର ମାନଚିତ୍ର। ଫନି ମହାବାତ୍ୟା ରେ ପୁରୀ ସହର ଯେଉଁ ପରି ଛିନ୍ନବିଛିନ୍ନ ହୋଇଯାଇଥିଲା, ତାହା ବହୁତ ଆଘାତ ଦେଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ସେହିଦିନଠାରୁ ଆରମ୍ଭ ହୋଇଯାଇଥିଲା ବ୍ଲୁ ପ୍ରିଣ୍ଟ। ନିଜେ ନବୀନ ପଟ୍ଟନାୟକ ଏହାର ଦାୟିତ୍ୱ ନେଇ ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା ଠାରୁ ଆରମ୍ଭ କରି କାର୍ଯ୍ୟର ତଦାରଖ କରୁଛନ୍ତି।
ଆଜି ଏ ପରିପ୍ରେକ୍ଷୀରେ ୫ ‘ଟି’ ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି । ଶ୍ରୀକ୍ଷେତ୍ରରେ ଚାଲିଥିବା ନାନାଦି ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା ଉଦ୍ଦେଶ୍ୟରେ ଏହି ଗସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ମାଧ୍ୟମରେ ପୁରୀରେ ହେଉଥିବା କାର୍ଯ୍ୟର ସ୍ଥିତି ତଦାରଖ କରିଛନ୍ତି । ଗୋଶାଳା, ସ୍ୱର୍ଗଦ୍ୱାର ପ୍ରକଳ୍ପ ଓ ଭିକାରୀ ଥଇଥାନ ପ୍ରକଳ୍ପର କାର୍ଯ୍ୟ କେତେ ତ୍ୱରିତ ଗତିରେ ଚାଲିଛି ସେନେଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହାପୂର୍ବରୁ ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଶ୍ରୀମନ୍ଦିର ନବୀକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ ।
ତେବେ ରାଜ୍ୟ ସରକାରଙ୍କ କ୍ରମାଗତ ଭାବେ ପୁରୀ ଉପରେ ଫୋକସ୍ ରହିଥିବା ବେଳେ ପୁରୀକୁ ଏକ ମଡେଲ ସିଟିରେ ପରିଣତ କରିବାର ପ୍ରୟାସ ଜାରି ରହିଛି । ଏହି ଅବସରରେ ଫାଇଭ-ଟି ସଚିବଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି ଅଖିଳେଶ୍ବର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ତଦାରଖ ପରେ ଫାଇଭ-ଟି ସଚିବ ପ୍ରତିକ୍ରିୟା ରଖିଛନ୍ତି । ବଡଦାଣ୍ଡକୁ ଭିକାରି ଓ ଗୋରୁମୁକ୍ତ କରିବା ନେଇ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିରେ ବଡ଼ ସଫଳତା ମିଳିଛି । ଏବେ ବଡଦାଣ୍ଡରେ ଭିକାରି ନାହାଁନ୍ତି କି ଗାଈଗୋରୁ ବୁଲୁନାହାଁନ୍ତି । ଯାହାକି ଆଗାମୀ ପିଢୀକୁ ଏକ ସୁବାର୍ତ୍ତା ଦେବ ବୋଲି କହିଛନ୍ତି ଫାଇଭ-ଟି ସଚିବ ।

ଏହି ପ୍ରକଳ୍ପ ଅଧିନରେ ୫୦୦ ଜଣ ଭିକାରିଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଥଇଥାନ କରାଯାଇଥିବା ବେଳେ ୧୫୦ ଜଣଙ୍କୁ ପୁଣିଥରେ ସେମାନଙ୍କ ପରିବାର ଲୋକଙ୍କ ନିକଟକୁ ପଠେଇ ଦିଆଯାଇଛି । ଏହାସହ ବାଙ୍କୀ ମୁହାଣକୁ ମଧ୍ୟ ସଫା କରାଯାଇଛି ବୋଲି କହିଛନ୍ତି ଫାଇଭ-ଟି ସଚିବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଗତ ୧୭ ତାରିଖରେ ଅପରାହ୍ନରେ ପୁରୀ ଯାଇ ହେରିଟେଜ କାମର ତଦାରଖ କରିଥିଲେ । ଶ୍ରୀମନ୍ଦିର ଚାରିକଡୁ ୭୫ ମିଟର ଉଚ୍ଛେଦ କାମର ତଦାରଖ କରିଥିଲେ । ଏହାସହ ଶ୍ରୀମନ୍ଦିର ଚାରିପଟ ବୁଲି ବିଭିନ୍ନ ଦ୍ବାରରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରିବୁଝିଥିଲେ । ଶ୍ରୀକ୍ଷେତ୍ରକୁ ବିଶ୍ବରେ ଏକ ଅଗ୍ରଣୀ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଲାଗି ଗତ ଜାନୁଆରୀ ମାସରେ ପ୍ୟାକେଜ ଘୋଷଣା କରିଥିଲେ । ହେଲେ କରୋନା ସକାଶେ ଗତ ଆଠ ମାସ ହେଲା ଭିତ୍ତିଭୂମି ନିର୍ମାଣ କାମ ବନ୍ଦ ରହିଥିଲା । ଏବେ କଟକଣା କୋହଳ ପରେ ପୁଣି ଦ୍ରୁତ ଗତିରେ ନିର୍ମାଣ କାମ ଆରମ୍ଭ ହୋଇଛି ।