ପୂର୍ବତଟ ରେଳପଥ ଚଳାଇବ ୪ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌ ଜାଣନ୍ତୁ କେଉଁ ରୁଟ୍ ରେ ।

ଭୁବନେଶ୍ୱର,୧୦।୧୦ : ପୂର୍ବତଟ ରେଳପଥ ୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବ। ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ପୁରୀରୁ ଭଲସାଦ, ସିକନ୍ଦରାବାଦରୁ ସାଲିମାର, ବିଶାଖାପାଟଣାରୁ ତିରୁପତି ଓ ବିଶାଖାପାଟଣାରୁ ସିକିନ୍ଦରାବାଦ୍‌ ଚାଲିବ।

ପୂର୍ବତଟ ରେଳପଥର ସୂଚନା ଅନୁସାରେ ଭଲସାଦ-ପୁରୀ-ଭଲସାଦ ସାପ୍ତାହିକ ଏକ୍ସପ୍ରେସ ଭଲସାଦରୁ ପ୍ରତି ଗୁରୁବାର ଛାଡ଼ିବ। ଅକ୍ଟୋବର ୧୮ରୁ ଏହି ଟ୍ରେନ ପୁରୀରୁ ଆରମ୍ଭ ହେବ। ପୁରୀରୁ ଏହି ଟ୍ରେନ ଭୁବନେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ବିଲାସପୁର ଓ ଜବଲପୁର ଦେଇ ଯିବ।

ସିକନ୍ଦରାବାଦ-ସାଲିମାର-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ସିକନ୍ଦରାବାଦ ଠାରୁ ଅକ୍ଟୋବର ୧୩ରୁ ଆରମ୍ଭ ହେବ। ପ୍ରତି ମଙ୍ଗଳବାର ପୂର୍ବାହ୍ନ ୫ଟା ୪ରେ ଛାଡ଼ିବ। ସେହିଭଳି ଅକ୍ଟୋବର ୧୪ରୁ ପ୍ରତି ବୁଧବାର ଅପରାହ୍‌ଣ ୪ଟା ୫ରେ ଶାଲିମାରରୁ ଛାଡ଼ିବ। ଏହି ଟ୍ରେନ ଓ୍ଵାରଙ୍ଗଲ, ରାୟନପାଡୁ, ସାମଲକୋଟ, ବିଶାଖାପାଟଣା, ବିଜୟନଗରମ, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ବାଲେଶ୍ୱର, ଖଡ଼ଗପୁର ଓ ସନ୍ତ୍ରାଗଚ୍ଛି ଆଦି ଷ୍ଟେସନରେ ଅଟକିବ।

ସିକନ୍ଦରାବାଦ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‌ ଅକ୍ଟୋବର ୧୭ ତାରିଖ ଠାରୁ ପ୍ରତି ଶନିବାର ସନ୍ଧ୍ୟା ୫ଟା ୫୦ରେ ସକିନ୍ଦରାବାଦ ଷ୍ଟେସନରୁ ଛାଡ଼ିବ। ବିଶାଖାପାଟଣା ଠାରୁ ଅକ୍ଟୋବର ୧୮ ତାରିଖ ଠାରୁ ସନ୍ଧ୍ୟା ୬ଟା ୫୫ରେ ଛାଡ଼ିବ। ଉଭୟ ଷ୍ଟେସନ ମଧ୍ୟରେ ଗୁଣ୍ଟୁର, ବିଜୟଓ୍ଵାଡା, ଇଲୁରୁ, ରାଜମହେନ୍ଦ୍ରୀ, ସାମଲକୋଟ, ଅନକାପଲ୍ଲୀ ଓ ଦୁଧଓ୍ଵା ଷ୍ଟେସନରେ ରହଣୀ କରିବ।

ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ୧୪ରୁ ତିରୁପତି ଠାରୁ ବୁଧବାର, ଶୁକ୍ରବାର ଓ ରବିବାର ରାତି ୯ଟା ୫୦ରେ ଛାଡ଼ିବ। ସେହିଭଳି ଅକ୍ଟୋବର ୧୭ ତାରିଖ ଠାରୁ ବିଶାଖାପାଟଣା ଠାରୁ ପ୍ରତି ଗୁରୁବାର, ଶନିବାର ଓ ସୋମବାର ରାତି ୧୦ଟା ୫୦ରେ ଛାଡ଼ିବ।