ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ୱର୨୪।୦୯:ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କର ପରଲୋକ ହୋଇଯାଇଛି। ରାଜ୍ୟର ଜଣେ ଜଣାଶୁଣା ରାଜନେତା ଶେଖ୍ ମତଲୁବ ଅଲ୍ଲୀ ୧୯୪୨ ମସିହା ଡିସେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ କଂଗ୍ରେସ ଟିକେଟରେ ୪ଥର ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପ୍ରତ୍ୟେକ ଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ସେ ଗ୍ରାମ୍ୟ ଉନ୍ନୟନ, ଉଚ୍ଚଶିକ୍ଷା ଭଳି ଅଧିକାଂଶ ଗୁରୁତ୍ତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୧୪ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମତଲୁବଙ୍କ ପରଲୋକ ନେଇ ପୁଅ ମାସୁଦ ଅଲ୍ଲୀ ସୂଚନା ଦେଇଛନ୍ତି। ସେ ଦୀର୍ଘ ବର୍ଷ ଧରି ରାଜ୍ୟ କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ସୁଚାରୁ ରୂପେ ନିଜ ଦାୟିତ୍ୱ ତୁଲାଇ ଥିଲେ। ତାଙ୍କ ବିୟୋଗରେ ସାଲେପୁର ଅଞ୍ଚଳରେ ଶୋକର ଶାୟା ଖେଳି ଯାଇଛି।

ମାହାଙ୍ଗା ମାଟିର ସୁଯୋଗ୍ୟ ସନ୍ତାନ, ସାରସ୍ୱତ ସାଧକ, ବିଶିଷ୍ଟ କବି, ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ବିୟୋଗରେ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକ ବ୍ୟକ୍ତ କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।