ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର,୨୧।୦୮: ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଯୁକ୍ତ୨ କଲେଜରେ ନାମଲେଖା ଲାଗି ୨୧ ତାରିଖ ତଥା ଶୁକ୍ରବାର ପୂର୍ବାହ୍ନ ୧୧ଟାଠାରୁ ଆବେଦନ ଆରମ୍ଭ ହେବ। ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ‘www.samsodisha.gov.in ରେ କମନ ଆପ୍ଲିକେଶନ ଫର୍ମ ଜରିଆରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ତେବେ ଏଥର ଅନ୍‌ଲାଇନ୍‌ ଆବେଦନ କରିବା ପରେ ଆଉ ଛାତ୍ରଛାତ୍ରୀଙ୍କୁ ଫର୍ମର ହାର୍ଡକପି ଦାଖଲ କରିବାକୁ ପଡ଼ିବ ନାହିଁ। ସେପ୍ଟେମ୍ବର ୪ ତାରିଖ ଆବେଦନର ଶେଷ ତାରିଖ ରହିଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଟିତ ହେବ।

ସେପ୍ଟେମ୍ବର ୨୩ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଏବଂ ୨୪ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ୨୮ ତାରିଖ ସନ୍ଧ୍ୟା ୬ଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍‌ ସିଲେକ୍ସନ ତାଲିକା ବାହାରିବ। ୧ରୁ ୩ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ଲାଗି ସମ୍ପୃକ୍ତ କଲେଜରେ ନାମ ପଞ୍ଜୀକରଣ କରାଯିବ ଏବଂ ୩ ତାରିଖ‌ରେ ସ୍ପଟ୍‌ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୫ ତାରିଖ‌ରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ।