ପୁରୀ: ସୁପ୍ରିମକୋର୍ଟ ରୁ ଗ୍ରୀନ ସିଗନାଲ ମିଳିବା ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କରିସାରିଲେଣି ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପୁରୀ ଗସ୍ତରେ ଯାଇଛନ୍ତି ମୂଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ଅଭୟ। ପୁରୀ ଠାରେ ଉଭୟ ରହି ପରିସ୍ଥିତି ଉପରେ ନଜର ରଖିବେ।
ଅନ୍ୟପଟେ ରଥଯାତ୍ରା ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ରାତି ସୁଧା ବଡ଼ଦାଣ୍ଡକୁ ଖାଲି କରିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଉଛି । ୩ରଥରେ ଧ୍ୱଜପତା ଲାଗିହେବା ସହ ରଥ ଦଉଡ଼ି ମଧ୍ୟ ଲାଗିଛି । ଏବେ ରଥକୁ ଦକ୍ଷିଣ ମୋଡ଼ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ଅପେକ୍ଷା । ରଥଟଣା ପାଇଁ ରଥଖଳାରେ ପହଞ୍ଚିଲେ ୭ ଜଣ ଡାହୁକ । ସିଂହଦ୍ୱାରକୁ ରଥ ଆସିବା ପାଇଁ ଡାହୁକଙ୍କୁ ଡକାଗଲା।
ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ । ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ବୈଠକ । ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ବୈଠକରେ ସାମିଲ ।
ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।
ଏହା ପରେ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟ ପୁନର୍ବିଚାର ମାମଲାକୁ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ନିକଟକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସିଜେଆଇ ନାଗପୁରସ୍ଥିତ ତାଙ୍କ ଘରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ।