ଗୋପବନ୍ଧୁ ଆୟୁର୍ବେଦ କଲେଜ ବନ୍ଦ ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ: ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ କଲେଜ ଅଧ୍ୟକ୍ଷ

ପୁରୀ,୧୮/୦୬: ପୁରୀ ସରକାରୀ ଆୟୁର୍ବେଦ କଲେଜ ଓ ହସ୍ପିଟାଲକୁ ବନ୍ଦ କରିବାକୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଏହି ଡାକ୍ତରଖାନାର ସମ୍ପୂର୍ଣ୍ଣ ୧୫୦ ଶହ ଶଯ୍ୟା ବିଶିଷ୍ଟ ରୋଗୀ ଚିକିତ୍ସା ଗୃହ ସମେତ ଓପିଡି ଓ ଆଇପିଡିକୁ ଜିଲ୍ଲା ପ୍ରଶାସନ କୋଭିଡ୍‌-୧୯ ବା କରୋନା ଚିକିତ୍ସା କେନ୍ଦ୍ର କରିବା ପରେ ଏଭଳି ସ୍ଥିତି ଉପୁଜିଛି । ଏବେ ଜିଲ୍ଳା ପ୍ରଶାସନ ପକ୍ଷରୁ ଆୟୁର୍ବେଦ କଲେଜର ପାଠପଢ଼ା, ଅଫିସ୍‌ ପ୍ରଭୃତି ଚାଲୁଥିବା ଆଡମିନିଷ୍ଟ୍ରେଟିଭ୍‌ କୋଠାର ତଳ ମହଲାକୁ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର କରିବାକୁ ପଦକ୍ଷେପ ନିଆଯାଇଛି । ଫଳରେ ଏଠାରେ ପାଠପଢ଼ା ଓ ଗବେଷଣା କରୁଥିବା ୧୮୦ରୁ ଅଧିକ ପିଏଚ୍‌ଡି, ପିଜି, ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀଙ୍କ ସମେତ ଡାକ୍ତରମାନେ ଚିନ୍ତାରେ ପଡ଼ିଛନ୍ତି । ଜିଲ୍ଲା ପ୍ରଶାସନ ପାଖରୁ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏଭଳି ଚିଠି କରାଯାଇଛି । ଜିଲ୍ଲା ପ୍ରଶାସନଠୁ ଏଭଳି ଚିଠି ପାଇବା ପରେ କଲେଜ ଅଧ୍ୟକ୍ଷ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଏଠାରୁ ଉପକୃତ ହେଉଥିବା ଛାତ୍ରଛାତ୍ରୀ, ରୋଗୀ ଓ ସ୍ଥାନୀୟ ଜନସାଧାରଣଙ୍କ ପ୍ରତି ଅନ୍ୟାୟ ନ କରିବାକୁ ଏଥିରେ ନିବେଦନ କରିଛନ୍ତି । କଲେଜର ତଳ ମହଲାକୁ ଏଏନ୍‌ଏମ୍‌ଙ୍କ ତାଲିମ ନିମନ୍ତେ ନ ଦେଇ ବରଂ ବନ୍ଦ ହୋଇପଡ଼ିଥିବା ଆୟୁବେର୍ଦ ଚିକିତ୍ସାଳୟର ବର୍ହି ବିଭାଗକୁ ଏଠାରେ ଖୋଲି ରୋଗୀ ଚିକିତ୍ସା କରାଯାଉ ବୋଲି ନିବେଦନ କରିଛନ୍ତି ।

ନବକଳେବର ବେଳେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆୟୁର୍ବେଦ କଲେଜ ଓ ଚିକିତ୍ସାଳୟ କ୍ୟାମ୍ପସରେ ୨୦୦ ଶଯ୍ୟା ବିଶିଷ୍ଟ ୪ ମହଲା ରୋଗୀ ଚିକିତ୍ସାଳୟ କୋଠା କରାଯାଇଥିଲା । ନବକଳେବର ପରେ ଏହି କ୍ୟାମ୍ପସରରେ ଆୟୁର୍ବେଦ କଲେଜର ସମସ୍ତ ବିଭାଗରେ ଆଡମିସନ ନେଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିବା ସହ ଅଫିସ୍‌ ରହିଛି । ହେଲେ ଜିଲ୍ଲା ପ୍ରଶାସନ ଏହି କୋଠାର ତଳ ମହଲାକୁ ଏଏନ୍‌ଏମ୍‌ ଟ୍ରୋନିଂ ସେଣ୍ଟର କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତୁରନ୍ତ ଏହି ମହଲାକୁ ଖାଲି କରି ସିଡିଏମ୍‌ଓ(ଜନସ୍ୱାସ୍ଥ୍ୟ)ଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି । ଏହା ପରେ କଲେଜର ଏହି ମହଲାକୁ ଖାଲି କରିବାରେ ଥିବା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ନିବେଦନପତ୍ର ଦିଆଯାଇଥିଲା । ଯେଉଁଥିରେ ଦର୍ଶା ଯାଇଥିଲା କରୋନା ମୁକାବିଲା ନିମନ୍ତେ ଆୟୁର୍ବେଦ କଲେଜର ସମସ୍ତ ୧୫୦ ରୋଗୀ ଶଯ୍ୟା ଗୃହ, ଓପିଡି, ଆଇପିଡି ପ୍ରଭୃତିକୁ ପ୍ରଶାସନ ଦଖଲ କରି କୋଭିଡ୍‌ ଚିକିତ୍ସା କେନ୍ଦ୍ର ଖୋଲିଛି । ତେଣୁ ପାଠପଢ଼ା ଯାଉଥିବା କୋଠାର ତଳ ମହଲାକୁ ଖାଲି ନ କରି ବରଂ ଏଠାରେ ଓପିଡି ଖୋଲି ରୋଗୀଙ୍କ ଚିକିତ୍ସା କରିବାକୁ ଅନୁମତି ଦିଆଯାଉ । ଫଳରେ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ବନ୍ଦ ହୋଇପଡ଼ିଥିବା ରୋଗୀ ଚିକିତ୍ସା ସମ୍ଭବ ହେବ । ଏଠାକୁ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀ ଚିକିତ୍ସା ନ ପାଇ ଫେରି ଯାଉଛନ୍ତି । ଛାତ୍ରଛାତ୍ରୀଙ୍କ ଗବେଷଣାରେ ସମସ୍ୟା ହେଉଛି । ପିଜି, ପିଏଚ୍‌ଡି, ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ସମେତ ଇଣ୍ଟର୍ଣ୍ଣସିପ୍‌ କରୁଥିବା ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ରୋଗୀମାନେ ଚିକିତ୍ସା ନ ପାଇ ଫେରୁଥିବାରୁ ଆୟୁଷ ବିଭାଗ ପଠାଉଥିବା ପ୍ରଚୁର ପରିମାଣ ଆୟୁର୍ବେଦ ଔଷଧ କାମରେ ଲାଗି ପାରୁନି । ଫଳରେ ଡାକ୍ତରଖାନାରେ ଏତେ ପରିମାଣର ଔଷଧ ମହଜୁଦ୍‌ ହୋଇଗଲାଣି ଯେ, ଏହାକୁ ସୁରକ୍ଷିତ ରଖିବାରେ ଏବଂ ବାଣ୍ଟିବାରେ ଅସୁବିଧା ହେଲାଣି । ଓପିଡି ଓ ଆଇପିଡି ବନ୍ଦ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଅନ୍ୟପକ୍ଷରେ ଏହି କୋଠାକୁ ଲାଗି ଛାତ୍ର ହଷ୍ଟେଲ ରହିଥିବାରୁ ଏଠାରେ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର କରିବା ଠିକ୍‌ ହେବନାହିଁ । ଜିଲ୍ଲା ପ୍ରଶାସନକୁ ସମସ୍ୟା ଜଣାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉନାହିଁ । ତେଣୁ ଏଭଳି ଅସୁବିଧାକୁ ତୁରନ୍ତ ନିରୀକ୍ଷଣ କରି ଏହି କୋଠାର ତଳ ମହଲାକୁ ଟ୍ରେନିଂ କେନ୍ଦ୍ର ନିମନ୍ତେ ନ ଦେଇ ବରଂ ଆୟୁବେର୍ଦ ଚିକିତ୍ସା ନିମନ୍ତେ ଓପିଡି କରିବାକୁ ନିବେଦନ କରାଯାଇଛି । ଏହା ରୋଗୀ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ବେଶ ହିତକର ହେବ ବୋଲି କଲେଜ ଅଧ୍ୟକ୍ଷ ସୂଚିତ କରିଛନ୍ତି ।

ଏନେଇ କଲେଜର ଜଣେ ବିଶେଷଜ୍ଞ ଅଧ୍ୟାପକ କହିଛନ୍ତି, କରୋନା ରୋଗର ଚିକିତ୍ସା ନିମନ୍ତେ ଆୟୁଷ ବିଭାଗ ସମସ୍ତ ଆୟୁବେର୍ଦ କଲେଜ ଓ ମେଡିକାଲକୁ ନିର୍ଦ୍ଦେଶନାମା ଜାରି କରିସାରିଛି । କେଉଁ ପ୍ରକାର ଔଷଧ ଖାଇବାକୁ ଦେଇ କରୋନା ରୋଗର ମୁକାବିଲ କରିହେବ ତାହା ଉଲ୍ଲେଖ କରାଯାଇଛି । ଦିଲ୍ଲୀରେ ମଧ୍ୟ ଔଷଧ ଖାଇ ରୋଗୀ ଭଲ ହେଉଛନ୍ତି । ରୋଗୀର ଲକ୍ଷଣ ଦେଖି ସଂସବନ ବଟି, ଗିଲୟ ସତ୍ୱ, ଚେବନ ପ୍ରସ୍‌, ଗୋଲ ମରିଚ, ସୁଣ୍ଠି, ଡାଲଚିନି, ଗୁଡରେ ମିଶାଇ କାଢ଼ା କରି ଦୁଇ ଓଳି ପିଇବା ସହ ହଳଦି ସହ ଖିର ମିଶାଇ ପିଇବାକୁ ମଧ୍ୟ ଗାଇଡ୍‌ ଲାଇନ୍‌ରେ କୁହାଯାଇଛି । ସମସ୍ତ ପ୍ରକାର ବାତ, ଅର୍ଶ, ମଳକଣ୍ଟକ, ନାଶା, ଗଳା, କର୍ଣ୍ଣ ପ୍ରଭୃତି ଚିକିତ୍ସା ସହ ଫିଜିଓ ଥେରାପି ଓ ପଞ୍ଚକର୍ମ ଏଠାରେ ଦିଆଯାଉଥିଲା । ହେଲେ କୋଭିଡ୍‌ ହସ୍ପିଟାଲ କରାଯିବା ପରେ ସବୁ ଚିକିତ୍ସା ଏବେ ବନ୍ଦ ରହିଥିବାରୁ ପ୍ରତିଦିନ ୪୦ରୁ ଅଧିକ ରୋଗୀ ସେବା ନ ପାଇ ଫେରିଯାଉଛନ୍ତି ।