ସଟଡାଉନ୍‌ରେ କଣ ହେବ କୋହଳ?

ଭୁବନେଶ୍ୱର: ଅନଲକ୍-୧ ଗାଇଡଲାଇନରେ ସାମାନ୍ୟ ସଂଶୋଧନ କଲେ ରାଜ୍ୟ ସରକାର । ଆଜି ଏସ୍ଆରସିଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁସାରେ ସ୍କୁଲ ଓ କଲେଜରେ ପରୀକ୍ଷା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ହେବାକୁ ଥିବା ସଟଡାଉନ ବେଳେ କୃଷି, ଉଦ୍ୟାନକୃଷି, ପଶୁପାଳନ, ମତ୍ସ୍ୟ ଚାଷ ସଂପର୍କିତ କାର୍ଯ୍ୟକଳାପକୁ କଟକଣାମୁକ୍ତ କରାଯାଇଛି। ସେପଟେ ସଟଡାଉନ୍ ବେଳେ କମିଶନରେଟ୍ କିମ୍ବା ଜିଲ୍ଲା ପୋଲିସ ଦ୍ୱାରା ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ ସହ ଛାପା ଗଣମାଧ୍ୟମକୁ ମଧ୍ୟ କଟକଣାମୁକ୍ତ କରାଯାଇଛି। ସଟଡାଉନ୍ ବେଳେ ଛାପା ଗଣମାଧ୍ୟମ ଅଫିସ ମଧ୍ୟ କାର୍ଯ୍ୟ କରିପାରିବ। ସେହିପରି ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ନୂଆ ଆଦେଶରେ କୁହାଯାଇଛି।