ମହଙ୍ଗା ହେବ ମୋବାଇଲ ଫୋନ ଓ ଇଲେକ୍ଟ୍ରୋନିକ ସାମଗ୍ରୀ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ପହିଲାରେ ଲୋକସଭାରେ ଆଗତ ହେବ ୨୦୨୧-୨୨ ବର୍ଷ ପାଇଁ ସାଧାରଣ ବଜେଟ। କରୋନା ସମୟରେ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି । ଦେଶର ଅର୍ଥନୀତିକୁ ଅଭିବୃଦ୍ଧି ଆଡକୁ ନେବାପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ’ଣ ପଦକ୍ଷେପ ନେଉଛନ୍ତି ଏବେ ସମସ୍ତଙ୍କ ନଜର ତାହା ଉପରେ ରହିଛି।
ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅର୍ଥମନ୍ତ୍ରୀ ପ୍ରାୟ ୫୦ରୁ ଅଧିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଏ ମଧ୍ୟରେ ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ସାମଗ୍ରୀ, ଇଲେକ୍ଟ୍ରିକ କାର ଓ ଆସବାବପତ୍ର ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରେତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ । ବିଦେଶରୁ ଆମଦାନୀ ହେଉଥିବା ଏସବୁ ସାମଗ୍ରୀକୁ ଦେଶରେ ଉତ୍ପାଦନ କରିବା ଉପରେ ଗୁରୁତ୍ବ ଦିଆଯିବ । କେବଳ ସେତିକି ନୁହେଁ ଆମଦାନୀ ଶୁଳ୍କ ବୃଦ୍ଧିକରି ସରକାର ନିଜର ରାଜସ୍ଵ ନିଅଣ୍ଟ କମାଇବାକୁ ଉଦ୍ୟମ କରିବେ । ଯାହାଫଳରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ଵ ଆଦାୟର ଲକ୍ଷ୍ୟ ରହିଛି ବୋଲି କୁହାଯାଇଛି । ତେବେ ଏହାଦ୍ଵାରା ଚୀନ ଓ ଜାପାନ ଆଦି ଦେଶର ରପ୍ତାନି ପ୍ରଭାବିତ ହେବାର ସମ୍ଭାବନା ରହିଛି ।