କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ୧୯୮୩ ବିଶ୍ୱକପ ବିଜେତା ଭାରତର କ୍ରିକେଟ୍ କିମ୍ବଦନ୍ତି କପିଲ ଦେବଙ୍କୁ ହୃଦଘାତ ଶିକାର ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଆଞ୍ଜିଓପ୍ଲାଷ୍ଟିକ୍ ଚିକିତ୍ସା ପୂର୍ବରୁ ତାଙ୍କ ହାର୍ଟଆଟାକ ହୋଇଛି। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

୬୧ ବର୍ଷୀୟ କପିଲଙ୍କୁ ହୃଦ୍‌ଘାତ ହୋଇଥିବା ଖବର ଆସିବା ପରେ କ୍ରିକେଟ ଜଗତରୁ ଆରୋଗ୍ୟ କାମନାର ସୁଆ ଛୁଟିଛି। କପିଲଙ୍କ ଅସୁସ୍ଥତା ନେଇ ପୂର୍ବତନ କ୍ରିକେଟର ମଦନ ଲାଲ୍‌ ସୁଚନା ଦେଇଥିଲେ। କପିଲ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ମଦନ ଲାଲ୍ ସୂଚନା ଦେଇଥିଲେ।

ଗତ ରାତିରେ କପିଲ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଏସ୍‌କର୍ଟ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର କିଛି ଟେଷ୍ଟ କରାଯାଇଥିଲା। ଷ୍ଟେଣ୍ଟ ଲଗାଯିବା ପରେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

ତେବେ କପିଲଙ୍କ ହୃଦଘାତ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନେ ଖୁବଶୀଘ୍ର ଆରୋଗ୍ୟ ହେବା କାମନା କରିଛନ୍ତି। କପିଲ ଦେବଙ୍କ ଅଧିନାୟକତ୍ବରେ ଭାରତ ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଥିଲା।

କପିଲ ତାଙ୍କ ଅନ୍ତଜାର୍ତୀୟ କ୍ୟାରିଅରେ ୧୩୧ ଟେଷ୍ଟ ଓ ୨୨୫ ଓ୍ବାନଡେ ମ୍ୟାଚ ଖେଳିଛନ୍ତି। ତାଙ୍କ ନାଁରେ ୫୨୪୮ ରନ୍ ଓ ୪୩୮ ଓ୍ବିକେଟର ରେକର୍ଡ ରହିଛି। ୧୯୯୪ରେ ସେ ଓ୍ବେଷ୍ଟଇଣ୍ଡିଜ ବିରୋଧରେ ଶେଷ ମ୍ୟାଚ ଖେଳିଥିଲେ।