ନୂଆଦିଲ୍ଲୀ,୦୬।୧୦: ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଥିବା ସ୍କୁଲ, କଲେଜକୁ ଆସନ୍ତା ୧୫ରୁ ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି । ଶିକ୍ଷାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଆଧାରରେ ସ୍କୁଲ କଲେଜ ଖୋଲିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସୂଚନା ଦେଇଛନ୍ତି। ପିତାମାତାଙ୍କ ଲିଖିତ ସମ୍ମତି ସହ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପାଠ ପଢି ପାରିବେ। ବିଦ୍ୟାର୍ଥି ମାନେ ସ୍କୁଲ ଯିବା ପରିବର୍ତ୍ତେ ଅନଲାଇନ୍ କ୍ଲାସ୍ ଚୟନ କରିପାରିବେ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବଂ ପରିବେଷଣ ପାଇଁ ସତର୍କତା ରହିବ। ସ୍କୁଲ ଖୋଲିବର ଦୁଇ-ତିନି ସପ୍ତାହ ପର୍ଯ୍ୟନ୍ତ କୌଣସି ଆସାଇନମେଣ୍ଟ ଦିଆଯିବ ନାହିଁ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନୁକୂଳ ପରିସ୍ଥିତ ସୃଷ୍ଟି କରିବା ଉଦେଶ୍ୟରେ ପେନ୍-ପେପର ପରୀକ୍ଷା ଅପେକ୍ଷା ବିଭିନ୍ନ ଫର୍ମାଟରେ ମୂଲ୍ୟାଙ୍କନ ହେବ।
କରୋନା ନିମନ୍ତେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଗୃହ ମନ୍ତ୍ରଣାଳୟ ଏଥର ବିଦ୍ୟାଳୟ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦେଇଛି, କିନ୍ତୁ ଏହି ନିଷ୍ପତ୍ତି ରାଜ୍ୟ ଉପରେ ଛାଡି ଦିଆଯାଇଛି। ବିଦ୍ୟାଳୟ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବ,
ସ୍କୁଲରେ ଉପସ୍ଥାନ ନେଇ ନିୟମ କୋହଳ କରାଯିବ । ଯେଉଁମାନେ ଅନ୍ଲାଇନ୍ କ୍ଲାସ ପାଇଁ ଇଚ୍ଛୁକ ହେବେ, ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ନିୟମାବଳୀରେ ଉଲ୍ଲେଖ ରହିଛି ।
ବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରେଣୀଗୃହ ଓ ପାଠ୍ୟ ଉପକରଣକୁ ଉପଯୁକ୍ତ ଭାବେ ବିଶୋଧନକରଣ କରିବେ। ସ୍ୱାସ୍ଥ୍ୟ ଓ ଜରୁରୀ ସ୍ଥିତିରେ ପଦକ୍ଷେପ ନେବା ଲାଗି ସ୍କୁଲଗୁଡ଼ିକ ଟାସ୍କ ଫୋର୍ସ ଗଠନ କରିବେ । ଶ୍ରେଣୀଗୃହରେ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପ୍ରାଧାନ୍ୟ ଦେବେ।
ଏଭଳି ପରିସ୍ଥିତିରେ କଣ କଣ ପଢ଼ାଯାଇ ପାରିବ ସେନେଇ ସ୍କୁଲମାନେ ବିସ୍ତୃତ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବେ ।କରୋନା ମହାମାରୀ ସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଲାଗି କେନ୍ଦ୍ର ସରକାର ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ସରକାର ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନାହାନ୍ତି ।