ମୁମ୍ବାଇ,୧୩।୦୮ : ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ ଆଜି ଭେଟିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ଏହି ଅବସରରେ ବିଏମସି ତାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପ୍ରସଙ୍ଗ ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇଥିବା କୁହାଯାଉଛି। ଅନ୍ୟପକ୍ଷରେ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ବିରୋଧରେ ବିଏମସି କାହିଁକି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରୁ ମହାରାଷ୍ଟ୍ର ରାଜ୍ୟପାଳ ଏକ ରିପୋର୍ଟ ମାଗିଥିଲେ। ମୁମ୍ବାଇ ସହରରେ ପ୍ରକୃତରେ କ’ଣ ଘଟିଛି ସେ ସମ୍ପର୍କରେ ରାଜ୍ୟପାଳ କୋଶ୍ୟାରି କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ନିକଟରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସହିତ ତୁଳନା କରିବା ପରେ କଙ୍ଗନା ବିବାଦୀୟ ହୋଇପଡିଥିବା ବେଳେ ବେଆଇନ ନିର୍ମାଣ ଦର୍ଶାଇ ତାଙ୍କ ଅଫିସକୁ ଭାଙ୍ଗି ଦିଆଯାଇଛି।