କରୋନା ଯୋଗୁଁ ବନ୍ଦ ହେବନି ନିର୍ବାଚନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୦୮: କରୋନା ପରିସ୍ଥିତି ପାଇଁ ନିର୍ବାଚନ ବାତିଲ ‌ହୋଇପାରିବ ନାହିଁ। ଆଜି ସୁପ୍ରିମ୍ କୋର୍ଟ ଏହା କହିଥିବା ବେଳେ ବିହାର ନିର୍ବାଚନ ତାରିଖ ପରିବର୍ତ୍ତନ ପାଇଁ ଆଗତ ଜନସ୍ଵାର୍ଥ ମାମଲାକୁ ଅଗ୍ରାହ୍ୟ କରିଦେଇଛନ୍ତି। ରାଜ୍ୟ କରୋନା ମୁକ୍ତ ହେବା ପରେ ବିହାର ବିଧାନସଭା ନିର୍ବାଚନ କରାଯାଉ ବୋଲି ସୁପ୍ରିମ୍ କୋର୍ଟରେ ଏହି ଜନସ୍ଵାର୍ଥ ମାମଲା କରାଯାଇଥିଲା। ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଶୁକ୍ରବାର ଏହି ଉପରେ ଶୁଣାଣି କରିଥିଲେ। ଖଣ୍ଡପୀଠର ବିଚାରପତି ଆର୍‌ ଏସ୍ ରେଡ୍ଡୀ ଓ ଏମ୍‌ ଆର୍‌ ଶାହା କହିଲେ ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରାଯାଇ ନ ଥିବାରୁ ଏହି ପିଟିସନ୍ ଏକ ‘ପ୍ରିମାଚ୍ୟୁଓର୍‌ ପିଟିସନ୍’। ତେଣୁ ନିର୍ବାଚନ ବାତିଲ ପାଇଁ କୋଭିଡ୍ ଗୋଟାଏ ବୈଧ୍ୟ କାରଣ ହୋଇ ନପାରେ ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ ଅବିନାଶ ଠାକୁର କରିଥିବା ଜନସ୍ଵାର୍ଥ ମାମଲାରେ ଦର୍ଶାଇଥିଲେ ଅସ୍ଵାଭାବିକ ପରିସ୍ଥିତିରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ‘ଜନ ପ୍ରତିନିଧି ଆଇନ’ରେ ବ୍ୟବସ୍ଥା ରହିଛି। ତେଣୁ କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ କମିସନ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ।