ଅର୍ଥନୀତିରେ ସୃଷ୍ଟି ହୋଇଥିବା ସଙ୍କଟ ପାଇଁ ଲକଡାଉନ ଦାୟୀ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ଅର୍ଥନୀତିରେ ଏବେ ବ୍ୟାପକ ସମସ୍ୟା ଦେଖାଦେଇଛି। ଏହି ପରିସ୍ଥିତି ପାଇଁ ସରକାର ଜାରି କରିଥିବା ଲକଡାଉନ କଟକଣା ଦାୟୀ। ଏକ ଋଣ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ଅଶୋକ ଭୂଷଣ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ ଏହା କହିଛନ୍ତି।

ଖଣ୍ଡପୀଠ କହିଛନ୍ତି ମୋରାଟୋରିୟମ ଅବଧି ପରେ ଲୋକଙ୍କୁ ନିଜର ଋଣ ବାବଦରେ ଅଧିକ ସୁଧ ଦେବାକୁ ପଡ଼ିବ ନା ନାହିଁ କେନ୍ଦ୍ର ସରକାର କୌଣସି ସତ୍ୟପାଠ ଦାଖଲ କରିନାହାନ୍ତି। ଆପଣ କହିଥିଲେ ଆରବିଆଇ ନିଷ୍ପତ୍ତି ନେବ। ଆମେ ଆରବିଆଇର ପକ୍ଷକୁ ଶୁଣିଲୁ ଓ ଦେଖିଲୁ। କିନ୍ତୁ କେନ୍ଦ୍ର ସରକାର ଆରବିଆଇକୁ ଢାଲ କରି ଏହା ପଛରେ ଲୁଚୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟିର ଜେନେରାଲ ତୁଷାର ମେହେଟାଙ୍କୁ ଖଣ୍ଡପୀଠ ଏହା କହିଥିବା ବେଳେ କେବେ ସୁଦ୍ଧା ଆପଣ ସତ୍ୟପାଠ ଦାଖଲ କରିବେ ବୋଲି ପଚାରିଥିଲେ। ଏହାପରେ ଶ୍ରୀ ମେହେଟା ସତ୍ୟପାଠ ଦାଖଲ ପାଇଁ ଗୋଟିଏ ସପ୍ତାହ ସମୟ ନେଇଛନ୍ତି।

ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି ବର୍ତ୍ତମାନ ଅର୍ଥନୀତିରେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ସେଥିପାଇଁ ଆପଣ ଜାରି କରିଥିବା ଲକଡାଉନ ଦାୟୀ। ଆପଣ ଆମକୁ ଦୁଇଟି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ପ୍ରଥମେ ବିପର୍ଯ୍ୟୟ ପ୍ରଶମନ ଆଇନ ଓ ମୋରାଟରିୟମ ପରିୟଡ ପରେ ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ କି ନାହିଁ। ଆପଣ କେବଳ ଆରବିଆଇ ପଛରେ ଲୁଚିଲେ ହେବନାହିଁ। ନିଜ ପକ୍ଷ ସ୍ପଷ୍ଟ କରନ୍ତୁ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା କପିଲ ଶିବଲ କହିଛନ୍ତି ମୋରାଟରିୟମ ପରିୟଡ ଅଗଷ୍ଟ ୩୧ରେ ଶେଷ ହେବାକୁ ଯାଉଛି। ସେପ୍ଟେମ୍ବର ୧ରୁ ସମସ୍ତେ ଡିଫଲ୍ଟ ବିବେଚନା ହେବେ। ଋଣ ପରିମାଣ ଗୁଡ଼ିକ ଏନପିଏ ଭାବେ ପରିଗଣିତ ହେବ। ଏହା ପୁଣି ଗୋଟିଏ ବଡ଼ ପ୍ରସଙ୍ଗ ହୋଇ ଉଭା ହେବ। ତେଣୁ ମୋରାଟରିୟମ ପରିୟଡକୁ ବୃଦ୍ଧି କରିବା ସପକ୍ଷରେ ସେ ଯୁକ୍ତି ରଖିଥିଲେ। କିନ୍ତୁ ତୁଷାର ମେହେଟା ବିରୋଧ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧ରେ ହେବ ବୋଲି ଜଣାପଡିଛି।