ଅନ୍ତଃରାଜ୍ୟ ଗତିବିଧି ଉପରେ ରୋକ ନ ଲଗାଇବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୦୮: କରୋନା ସଂକ୍ରମଣ ପାଇଁ ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଯାତାୟାତ ଉପରେ ରାଜ୍ୟଗୁଡ଼ିକ କଟକଣା ଲଗାଉଥିବାରୁ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଲୋକଙ୍କ ଚଳପ୍ରଚଳ କିମ୍ବା ଗାଡ଼ି ମଟର ଯାତାୟାତ ଉପରେ କୌଣସି କଟକଣା ନ ଲଗାଇବାକୁ ଆଜି କେନ୍ଦ୍ର ଗୃହ ସଚିବ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି।
କେନ୍ଦ୍ର ଗୃହ ସଚିବ ସଚିବ ଅଜୟ ଭଲ୍ଲା ଲେଖିଥିବା ଚିଠିରେ କୁହାଯାଇଛି ଏକାଧିକ ରାଜ୍ୟର ଜିଲ୍ଲା ପ୍ରଶାସନମାନେ ନିଜ ଇଚ୍ଛା ଅନୁସାରେ ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଲୋକଙ୍କ ଚଳାଚଳ ଉପରେ ରୋକ ଲଗାଉଥିବା ଖବର ଆସିଛି। ଏଭଳି କଟକଣା ସପ୍ଲାଏ ଚେନ, ଅର୍ଥନୀତି ଓ ନିଯୁକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି। ଅନଲକ-୩ ଗାଇଡଲାଇନର ପାରା ୫ରେ ସ୍ପଷ୍ଟ ଭାବେ କୁହାଯାଇଛି ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଲୋକଙ୍କ ଚଳାଚଳ ପାଇଁ କୌଣସି ସ୍ୱତନ୍ତ୍ର ଇ-ପାସ୍‌ର ଆବଶ୍ୟକ ନାହିଁ। ତେଣୁ ଯେଉଁ ରାଜ୍ୟରେ ଏଭଳି କଟକଣା ଲାଗିଛି, ସେମାନେ କେନ୍ଦ୍ର ଗାଇଡଲାଇନର ଉଲ୍ଲଙ୍ଘନ କରୁଛନ୍ତି। ତେଣୁ କଟକଣାକୁ ରାଜ୍ୟଗୁଡ଼ିକ ତୁରନ୍ତ ଉଚ୍ଛେଦ କରି ଚଳପ୍ରଚଳ ପାଇଁ ଅନୁମତି ଦେବା ଉଚିତ।