ରାଜନୀତିରୁ ସନ୍ୟାସ ନେଲେ ବାବୁଲ ସୁପ୍ରିୟୋ, ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ମନର କଥା

ନୂଆଦିଲ୍ଲୀ ୩୧।୦୭: ରାଜନୀତିରୁ ସନ୍ନ୍ୟାନ ନେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିୟୋ। ସୁପ୍ରିୟୋ ସାମାଜିକ ଗଣମାଧ୍ୟମ ଜରିଆରେ ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ମୁଁ ଯାଉଛି, ଅଲବିଦା। ହେଲେ ସେ ସ୍ପଷ୍ଟ କରିଛନ୍ତି ଯେ, ବିଜେପି ହିଁ ତାଙ୍କର ପାର୍ଟି  ହୋଇ ରହିବ। ନିକଟରେ ବାବୁଲ ସୁପ୍ରିୟୋଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା। ଏ ନେଇ ସେ କିଛିଟା ମନ ଦୁଃଖ ମଧ୍ୟ କରିଥିଲେ। ବାବୁଲ ସୁପ୍ରିୟୋ ବର୍ତ୍ତମାନ ପଶ୍ଚିମବଙ୍ଗ ଆସନସୋଲରୁ ବିଜେପିର ସାଂସଦ ଅଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ସମସ୍ତଙ୍କ କଥା ଶୁଣିଲି। ଜଣାଇବାକୁ ଚାହୁଁଛି ଯେ, ମୁଁ କୌଣସି ପାର୍ଟିକୁ ଯାଉ ନାହିଁ। ମୋତେ କୌଣସି ପାର୍ଟି ତରଫରୁ ମଧ୍ୟ ଫୋନ୍ ଆସିନାହିଁ। ମୁଁ ଜଣେ ଦଳର ଖେଳାଳି।

ସର୍ବଦା ଗୋଟିଏ ଦଳର ସମର୍ଥନ କରିଛି। ସୁପ୍ରିୟୋ ନିଜର ଇସ୍ତଫାର ଘୋଷଣା ସାମାଜିକ ଗଣମାଧ୍ୟମରେ ଏକ କବିତା ରୂପେ କରିଛନ୍ତି। ସେ ଲେଖିଛନ୍ତି, ଯଦି ସାମାଜିକ କାର୍ଯ୍ୟ କରିବାର ଅଛି ତେବେ ରାଜନୀତି ବିନା ମଧ୍ୟ ହୋଇ ପାରିବ। “ମୁଁ ସମସ୍ତଙ୍କୁ ଖୁସି କରିବାକୁ ରାଜନୀତିକୁ ଆସି ନଥିଲି, ଏହା ମୋ ଦ୍ୱାରା ସମ୍ଭବ ନୁହେଁ କି ଏଭଳି କରିବାକୁ ମୁଁ କେବେ ଚେଷ୍ଟା କରିନାହିଁ, ଏହି କାରଣରୁ ମୁଁ ସମସ୍ତଙ୍କ ନିକଟରେ ଭଲ ହୋଇ ପାରିଲି ନାହିଁ ” । ସେ ଆହୁରି ଲେଖିଛନ୍ତି କି ‘ମୁଁ ଅନ୍ୟକିଛି ହୋଇପାରେ, କିନ୍ତୁ ଅବସରବାଦୀ, ଅବିଶ୍ୱସନୀୟତା ଓ ପଛପଟୁ ଛୁରୀ ମାରୁଥିବା ଲୋକଙ୍କ ଭିତରେ ନାହିଁ’ ।

କହିରଖୁ କି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା ହେବା ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ । ଏନେଇ ସେ ଲେଖିଥିଲେ କି ” କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପଶ୍ଚିମବଙ୍ଗରୁ ସ୍ଥାନ ପାଇଥିବା ନେତା ମାନଙ୍କୁ ମୋ ତରଫରୁ ଅନେକ ଶୁଭେଚ୍ଛା, ମୁଁ ମୋ ନିଜ ପାଇଁ ଦୁଖ କରୁଥିଲେ ବି ସେମାନଙ୍କ ପାଇଁ ବହୁତ ଖୁସି ଅଛି ।