ଓକିଲ ଗୁଡା ପଥର ଖାଦାନ ବ୍ଳାଷ୍ଟିଂର ଦୋଷୀ କିଏ ?

ଗୁଣପୁର,୨୨/୧୦:(ସିଦ୍ଧାର୍ଥ ଦାଶ) ଗୁଣପୁର ତହସିଲ ଅନ୍ତର୍ଗତ ଓକିଲଗୁଡା ପଥର ଖାଦାନରେ ଗତ ଶୁକ୍ରବାର ଦିନ ପଥର ବ୍ଲାଷ୍ଟିଂରେ ଅଘଟଣ ଘଟି ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ବିଦ୍ୟୁତ ବେଗରେ ଖେଳେଇ ହୋଇଯିବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଖବର ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ତହସିଲଦାର ଶ୍ରୀ ଲକ୍ଷ୍ମୀନାରାୟଣ ସାବତଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରାଯାଇଥିବା ଖବରକୁ ନେଇ ସାଧାରଣରେ ଦ୍ବିମତ ପ୍ରକାଶ ପାଇଛି । କିଭଳି ଭାବେ କେଉଁ କାରଣକୁ ନେଇ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।



ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଆମ୍ଭ ପ୍ରତିନିଧିଙ୍କ ସାକ୍ଷାତ୍ କାର ।

ପ୍ରଶ୍ନ – ଓକିଲଗୁଡା ପଥର ଖାଦାନକୁ କାହାକୁ କେତେ ବର୍ଷ ନିମନ୍ତେ ଲିଜ ଦିଆଯାଇଛି ।

ଉତ୍ତର – ପ୍ରଦୀପ ଚନ୍ଦ୍ର ଯୋଗୀଙ୍କୁ ୫ ବର୍ଷ ନିମନ୍ତେ ଲିଜକୁ ଦିଆଯାଇଛି ।

ପ୍ରଶ୍ନ -ଏହି ଖାଦାନରୁ ପଥର ଉତ୍ତୋଳନ କରିବା ନିମନ୍ତେ ଆପଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ଦିଆଯାଇଥିଲାକି ।

ଉତ୍ତର – ନା ।

ପ୍ରଶ୍ନ -ଗତ ଦିନରେ ହୋଇଥିବା ପଥର ବ୍ଲାଷ୍ଟିଂର ଖବର ଆପଣ କେତେବେଳେ କାହାଠାରୁ ପାଇଲେ ।

ଉତ୍ତର – ମୁଁ ରାୟଗଡ଼ାରୁ ଫେରୁଥିବା ସମୟରେ ଫୋନ କଲ ମାଧ୍ୟମରେ ଘଟଣାଟି ଜାଣିବାକୁ ପାଇ ସିଧା ଓକିଲଗୁଡା ପହଞ୍ଚି ଦେଖିଲି ପ୍ରଶାସନ ପକ୍ଷରୁ ସେଠାରେ ସମସ୍ତେ ଉପସ୍ଥିତି ଥିଲେ।

ପ୍ରଶ୍ନ -ଦୀର୍ଘ ୨୦ ବର୍ଷ ହେବ ଏଠାରେ ବେଆଇନ ପଥର ବ୍ଲାଷ୍ଟିଂ ଚାଲୁଥିବା ଚର୍ଚ୍ଚିତ ହେଉଥିବା ବେଳେ ଏନେଇ ଆପଣ ବିଭାଗୀୟ କର୍ମଚାରୀ କିମ୍ବା ଜନସାଧାରଣଙ୍କ ପକ୍ଷରୁ କୌଣସି ଅଭିଯୋଗ ପାଇଛନ୍ତିକି ।

ଉତ୍ତର – ଏଭଳି କିଛି ଅଭିଯୋଗ କାହାଠାରୁ କେବେ ପାଇନି ।

ପ୍ରଶ୍ନ -ଆପଣ କାର୍ଯ୍ୟଭାର ଗ୍ରହଣ କରିବାପରେ ଓକିଲଗୁଡା ପଥର ଖାଦାନକୁ କେତେଥର ପରିଦର୍ଶନରେ ଯାଇଛନ୍ତି ଓ କଣ ଅନୁଧ୍ୟାନ କରିଛନ୍ତି ।

ଉତ୍ତର – ଚାରି ପାଞ୍ଚ ଥର ଯାଇଛି । କିଛି ଦିନ ତଳେ ଇରିଗେସନ ଜେଇଙ୍କ ସାଥିରେ ମିଶି ପରିଦର୍ଶନରେ ଯାଇଥିଲି। ଆମ୍ଭର ପରିଦର୍ଶନ ବେଳେ ସେଠାରେ କୌଣସି ଇଲିଗାଲ କ୍ୱାରି ନଥିଲା ।

ପ୍ରଶ୍ନ -ଏହି ଖାଦାନର ଲିଜଧାରୀଙ୍କୁ ପ୍ରତି ଟେଣ୍ଡରରେ ଅନୁକମ୍ପା ଦେଖାଇ ସବୁ ଦୋଷକୁ ତହସିଲ କର୍ତ୍ତୃପକ୍ଷ ଘଣ୍ଟଘୋଡାଇ ରଖିଛନ୍ତି ବୋଲି ଯେଉଁ ଅଭିଯୋଗ ଉଠିଛି ଏନେଇ ଆପଣଙ୍କ ପ୍ରତିକ୍ରିୟା କଣ ।

ଉତ୍ତର – ସରକାର କିଭଳି ଅଧିକ ମାତ୍ରାରେ ରାଜସ୍ୱ ପାଇବେ ଏହା ମୋର ଲକ୍ଷ । କାହାକୁ ଅନୁକମ୍ପା ଦେଖାଇବା କିମ୍ବା ଘଣ୍ଟ ଘୋଡାଇବା ପ୍ରଶ୍ନ ଉଠୁନି । ଏଠାରେ ମୋର ବାପା ଭାଇ କିମ୍ବା ବନ୍ଧୁ ବାନ୍ଧବ କେହି ନାହାନ୍ତି ଯାହାକୁକି ଘଣ୍ଟାଘୋଡାଇବି ଏହି କଥା ସମ୍ପୂର୍ଣ୍ଣ ମିଥ୍ୟା ।

ପ୍ରଶ୍ନ -ପଥର ବ୍ଲାଷ୍ଟିଂ କରିବା ନିମନ୍ତେ ଲିଜଧାରୀଙ୍କୁ ଆପଣ ଅନୁମତି ଦେଇଛନ୍ତି କି ।

ଉତ୍ତର – ବ୍ଲାଷ୍ଟିଂ ନିମନ୍ତେ ଅନୁମତି ଦେବା ଅଧିକାର ତହସିଲଦାର ଙ୍କ ନାହିଁ । ଏହା କେବଳ ଜିଲ୍ଲାପାଳ ହିଁ ଦେବେ । କିନ୍ତୁ ମୁଁ ଲିଜଧାରୀଙ୍କୁ ଅନୁମତି ମେଳିଛିକି ନାହିଁ କହିପାରିବି ନାହିଁ ।

ପ୍ରଶ୍ନ – ଓକିଲଗୁଡ଼ା ପଥର ଖାଦାନର ପରିବେଶ ମଞ୍ଜୁରୀ ପତ୍ର ମିଳିସାରିଛି କି ।

ଉତ୍ତର – ପରିବେଶ ମଞ୍ଜୁରୀ ଦେବା ଅଧିକାର ମୋର ନାହିଁ । ଏହା ଜାତୀୟ ଗ୍ରୀନ ଟ୍ରିବୁନାଳର ପରିସରଭୁକ୍ତ ମୋ ଜାଣତରେ ଆବେଦନ ହୋଇଥିଲେ ମଧ୍ୟ କୋଉଠି ଫାଇଲ ଅଟକିଛି କଣ ହୋଇଚି ସେ ବିଷୟରେ ମୁଁ ଅଜ୍ଞ ଅଟେ ।

ପ୍ରଶ୍ନ -ନିଲମ୍ବନ ଆଦେଶ ପାଇବା ପରେ ଏନେଇ ଆପଣଙ୍କ ପ୍ରତିକ୍ରିୟା କଣ ।

ଉତ୍ତର -ସରକାର ବୋଧହୁଏ ଏହି ପରିସ୍ଥତି ରେ ଏହା ଠିକ୍ ଭାବି ନିଲମ୍ବିତ କରିଦେଲେ । ସରକାର ଆଦେଶ କରିଛନ୍ତି । ମୁଁ ଏହି ଆଦେଶ କୁ ମାନିଛି ।