ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ବଡ଼ସାହି ସୁଦର୍ଶନ ନାୟକ ଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ଲେହା ନାୟକ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତର ଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏହି ଖବର ପ୍ରସାରିତ ହେବା ପରେ ବ୍ରାହ୍ମଣୀଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଲେହା ନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ଜାତି ଧର୍ମ ନିର୍ବିଶେଷରେ ପ୍ରାର୍ଥନା କରିବା ସହିତ ବିଭିନ୍ନ ସଙ୍ଗଠନ, ବଦାନ୍ୟ ବ୍ୟକ୍ତି ବିଶେଷ ଓ ବ୍ରାହ୍ମଣୀଗାଁ ସ୍ଥିତ ମହିଳା ଗୋଷ୍ଠି ଆର୍ଥିକ ସହାୟତାର ହାତ ବଢ଼ାଇ ଆସିଥିଲେ । ବିଧିର ବିଧାନ ଲେହା ନାୟକ ସମସ୍ତଙ୍କ ସହଯୋଗ ସତ୍ତ୍ୱେ ସମସ୍ତଙ୍କୁ ପରକରି ଆରପାରିକୁ ଚାଲି ଯାଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଥାଉକି ଗତ ଏକମାସ ରୁ ଉର୍ଦ୍ଧ୍ବ ହେବ ପେଟ ଯନ୍ତ୍ରଣାରେ ଜୀବନ ମରଣ ସହ ସଂଘର୍ଷ କରି ଆସୁଥିଲେ। ସ୍ବାସ୍ଥ୍ୟ ଖରାପ ଥିଲେ ବି ପାଠ ପଢାରେ ମନ ଦେଇ ଦଶମ ଶ୍ରେଣୀର ସାରାଂଶ- ୧ ପରୀକ୍ଷା ବି ଦେଇଛନ୍ତି । ବାପା ସୁଦର୍ଶନ ନାୟକ ଜଣେ କୁଲି ମଜୁରିଆ । ଗାଁରେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିବା କଷ୍ଟକର ହେବାରୁ ସୁରତରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଝିଅର ଦେହ ହଠାତ୍ ଖରାପ ହେବାରୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ନେଇଥିଲେ। ଅର୍ଥ ଅଭାବରୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ପୁଣିଥରେ ବ୍ରହ୍ମପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅଧିକା ଖର୍ଚାନ୍ତ ହେବାରୁ ଭାଙ୍ଗି ପଡିଥିଲେ। ବହୁ ବଦାନ୍ୟ ବ୍ୟକ୍ତି ଓ ମହିଳା ମାନଙ୍କ ଉଦ୍ୟମରୁ ଲେହାର ବାପା ସୁଦର୍ଶନ ନାୟକ ଝିଅର ଆରୋଗ୍ୟ ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଭାଗ୍ୟ ବଶତଃ ଲେହା ନାୟକ ସମସ୍ତଙ୍କୁ ପର କରି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ପାଞ୍ଚ ଘଣ୍ଟା ବେଳେ ମୃତ୍ୟୁ ବରଣ କରିଥିବା ବିଷୟ ଲେହାର ବାପା ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।