ବିଜେଡି ବାଣ କୁ ଅକାମି କରିଛି ଝରଣା ପାଣି

ଗୁଣୁପୁର, (ସିଦ୍ଧାର୍ଥ ଦାସ) ବିଜେଡି ସରକାର ର ଅନେକ ଯୋଜନା ତୃଣମୂଳ ସ୍ଥରରେ ଏବେବି ଅପହଞ୍ଚ । ଜନତା ଙ୍କ ସମସ୍ୟା ର ସୁଧାର ନିମନ୍ତେ ଅନେକ ଯୋଜନା ପ୍ରସ୍ତତ କରିଥିବା ସରକାର ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତଥାପି ଏହା ଏବେବି ଆଦିବାସୀ ଅଧ୍ୟୁଷିତ ଇଲାକା ବାସୀ ଙ୍କ ନିମନ୍ତେ ଧୂଆଁ ବାଣ ପାଲଟିଛି । ଜନତାଙ୍କ ନିକଟରେ ସୁବିଧାରେ ପାଣି ପହଞ୍ଚାଇବା ଉଦ୍ଦେଶ୍ୟରେ ନବୀନ ସରକାର ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ବସୁଧା ଯୋଜନା । ପ୍ରଶାସନିକ ଅଧିକାରୀ ଙ୍କ ବେପରୁଆ ମନୋଭାବ ଯୋଗୁଁ ବର୍ତ୍ତମାନ ମଧ୍ୟ ଏହି ଯୋଜନା ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ସିରିଝୋଲି ଗ୍ରାମ ପଞ୍ଚାୟତ ଆଲମଗୁଡା ଗ୍ରାମ ବାସୀଙ୍କ ନିକଟରେ ଅପହଞ୍ଚ । ଆଲାମଗୁଡା ଗ୍ରାମରେ ପାନୀୟ ଜଳର ସୁବିଧା ନାହିଁ ।


ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ ସିରିଝୋଲି ପଞ୍ଚାୟତ ର ଏହି ଦୁର୍ଗମ ଅଞ୍ଚଳରେ ଫେଲ ମାରିଛି ସରକାରଙ୍କ ବସୁଧା ଯୋଜନା । ଏକବିଂଶ ଶତାବ୍ଦୀରେ ରେ ବି ଲୋକଙ୍କ ପାନୀୟ ଜଳ ଉତ୍ସ ପାଲଟିଛି ପାହାଡ଼ି ଝରଣା ପାଣି । ଗ୍ରାମରେ ପ୍ରାୟ ପାଞ୍ଚ ଶହ ଆଦିବାସୀ ଲୋକ ବସବାସ କରୁଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ର ସୁବ୍ୟବସ୍ଥା ନାହିଁ । ଫଳରେ ଏଠାକାର ଲୋକେ ବାଧ୍ୟ ହୋଇ ଗ୍ରାମ ଠାରୁ ତିନି କିଲୋମିଟର ଦୂରରେ ଥିବା ଏକ ପାହାଡ଼ି ଝରଣା ଉପରେ ପିଇବା ପାଣି ପାଇଁ ନିର୍ଭର କରୁଥିବା ଦେଖିବାକୁ ମିଳିଛି । ଏବେବି ଏହି ଇଲାକା ଅଧିବାସୀ ପିଇବା ପାଣି ନିମନ୍ତେ ଭରସା କରୁଛନ୍ତି ଝରଣା ଉପରେ । ମୁନ୍ଦାଏ ପାଣି ପାଇଁ ଗାଁ ଠାରୁ ଦୂରରେ ଥିବା ଝରଣାକୁ ଯାଉଛନ୍ତି ।ଗ୍ରାମରେ ରହିଛି ଗୋଟିଏ ନଳକୂପ ଓ ଗୋଟିଏ ସୋଲାର ପାଇପ ।

ନଳକୂପ ଟି ଅଚଳ ହୋଇ ପଡ଼ିଥିଲା ବେଳେ ସୋଲାର ପାଇପ ରୁ ବାହାରୁଥିବା ସ୍ବଳ୍ପ ପାଣି ଗ୍ରାମବାସୀ ଙ୍କ ଆବଶ୍ୟକତାକୁ ମେଣ୍ଟାଇ ପାରୁନି । ଫଳରେ ସକାଳ ହେଲେ ଝରଣା ପାଖରେ ଗ୍ରାମବାସୀ ଙ୍କ ଲମ୍ବା ଲାଇନ ଦେଖିବାକୁ ମିଳେ । ଦୂଷିତ ପାଣି ପିଇ ଅନେକ ରୋଗର ଶିକାର ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତଥାପି ପ୍ରଶାସନ ର ନଜର ଆଢୁଆଳରେ ରହି ଯାଇଛି ଆଲାମଗୁଡା ଗ୍ରାମ । କେବଳ ପିଇବା ପାଣି ସମସ୍ୟା ନୁହେଁ, ଲୋକେ ଗାଧୋଇବା କୁ ମଧ୍ୟ ଏଠାରେ ସମସ୍ୟା । ବିଲ ମଝିରେ ଗୋଟିଏ ଖାଲ ଜାଗାରେ ଜମି ରହିଥିବା ଦୂଷିତ ପାଣିରେ ଏଠାକାର ଲୋକେ ଗାଧୋଉଛନ୍ତି । ଏହା ନିଶ୍ଚିତ ଭାବରେ ସରକାର ଙ୍କ ଯୋଜନା କୁ ଅଟ୍ଟହାସ୍ୟ କରି ବିଜେଡି ବାଣ କୁ ଅକାମି କରୁଛି ଝରଣା ପାଣି । ଏସବୁ କୁ ଅନୁଧ୍ୟାନ କଲେ ଜଣାଯାଏ ଏହି ଅଞ୍ଚଳବାସୀ କେତେ ସମସ୍ୟା ଘେରରେ ଛନ୍ଦି ହୋଇ ରହିଛନ୍ତି । କେବଳ ଗାଡିଯିବା ସ୍ଥାନ କୁ ଛାଡିଦେଲେ ଏଭଳି ଅଞ୍ଚଳରେ ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ପାଦ ପଡିନି ।

କେବଳ ବିଜେଡି ନେତାଙ୍କ ବାହୁ ଛାୟା ତଳେ ରହି ନେତାଙ୍କୁ ଖୁସି କରାଇବା ଭଳି କାର୍ଯ୍ୟ କରୁଥିବା ବିଡ଼ିଓ ମହୋଦୟ ସରକାର ଙ୍କ ପ୍ରସ୍ତୁତି ଯୋଜନା ଗ୍ରାମାଞ୍ଚଳ ରେ ପହଞ୍ଚି ପାରିଛି ନା ନାହିଁ ଏହାର ସମୀକ୍ଷା କରିବା ପାଇଁ ମଧ୍ୟ ବେଳ ପାଉନଥିବା ଅଭିଯୋଗ ଉଠିଛି । କେବଳ ବ୍ଲକ ମଧ୍ୟର କାର୍ଯ୍ୟକୁ ସମୀକ୍ଷା କରି ନଥିବା ଅଧିକାରୀ କିଭଳି ସମ୍ପୂର୍ଣ୍ଣ ଉପଖଣ୍ଡ ଦାୟିତ୍ୱ ତୁଲାଇବା ଆଶା ନେଇ ଗୁଣପୁର ଆଇଟିଡିଏ ଅଧିକାରୀ ଭାବେ ନିଯୁକ୍ତି ପାଇଁ ରାଜନୈତିକ ଗୋଟି ଚଳାଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ବ୍ୟକ୍ତିତ୍ୱ ଙ୍କୁ ନେଇ କିଭଳି ଆଦିବାସୀ ଓ ପଛୁଆ ବର୍ଗ ଙ୍କ ଉନ୍ନତି ହେବ ଏହା ସମୟ କହିବ । ସେ ଯାହା ହେଉନା କାହିଁକି ଏବେ ଆଲମଗୁଡା ଅଞ୍ଚଳ ବାସୀ ଙ୍କ ଏହି ଜଳକଷ୍ଟ କିଏ ଦୂର କରୁଛି ଆଉ କେବେ ଦୂର ହେଉଛି ଏହା ଦେଖିବାକୁ ରହିଲା ।