ପାଚିଲା ଧାନରେ ମହି ଦେଲା ବାତ୍ୟା ଜୱାଦ୍ ଫସଲ ନଷ୍ଟ ବିଭାଗୀୟ ଅଧିକାରୀ ଦେଖା ମିଳୁନି

ଚିଲିକା:-୦୬/୧୨(ବିନୁ ଦାସ୍):- ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଲଘୁଚାପଜନିତ ବର୍ଷା ଏବଂ ବାତ୍ୟା ଚିଲିକା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ଘଟେଇଛି।ଚିଲିକା ବ୍ଲକ ଜରିପଡା ସେବା ସମବାୟ ସମିତି ଏବଂ ସୋରଣ ସେବା ସମବାୟ ସମିତିର ଶହ ଶହ ଚାଷୀ ଙ୍କର ଲକ୍ଷ ଲକ୍ଷ ଟଙ୍କାର ପାଚିଲା ଧାନ ଫସଲ ନଷ୍ଟ ହୋଇଛି।କେଉଁଠି ଚାଷ ଜମିର ପାଚିଲା ଧାନ ଫସଲ ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲୁଛି ତ ପୁଣି କେଉଁଠି କଟା ହୋଇଥିବା ଧାନ ଧାନ ବିଲରେ ଲହଡି ମାରୁଛି।ପରିସ୍ଥିତି ଏପରି ହୃଦୟ ବିଦାରକ କି କେହି କାହାକୁ ଦୁଃଖ ବଖଣିବା କଷ୍ଟକର ହୋଇଛି।ବିଗତ ଦୁଇଦିନ ତଳେ ହୋଇଥିବା ବାତ୍ୟା ଜୱାଦ୍ ର ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ ପ୍ରଭାବରେ ହଜାର ହଜାର ଚାଷଜମି ଜଳମଗ୍ନ ହୋଇଛି।

ବିଶେଷ କରି ଛୋଟ ସରକାରୀ ବିହନ କରିଥିବା ଚାଷୀମାନେ ବହୁତ କ୍ଷତି ସହିଛନ୍ତି।ଚାଷୀମାନେ ସରକାରୀ ଋଣ ସେବା ସମବାୟ ସମିତି ରୁ ଆଣି ଫସଲ କରିଥିବା ବେଳେ ଏପରିକି ସାର ଏବଂ ବିହନ ମଧ୍ୟ ସରକାରଙ୍କ ଠାରୁ କିଣିଥିଲେ।ବିଶେଷ କରି ସରକାରୀ ବିହନ ଚାଷ କଲେ ଅଧିକ ଆଦାୟ ହେବ ବୋଲି ପ୍ରାୟତଃ ଚାଷୀ ସରକାରୀ ବିହନ କିଣିଥିଲେ।ବିଶେଷତଃ କ୍ଷତିଗ୍ରସ୍ତ ହୋଇଥିବା ଧାନ ମଉଡ଼ମଣି, ଚମ୍ପେଇଲ,ରତନ ଚୁଡ଼ି, ପୂଜା,ମଷୁରୀ, କଳା ଚମ୍ପା ଏବଂ ତେଲେଙ୍ଗାନା ମଷୁରୀ ଭଳି ସରକାରୀ ବିହନ କିଣି ଚାଷ କରିଥିବା ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।ଦେଖିବାକୁ ଗଲେ ପ୍ରାୟତଃ ସମସ୍ତ ଚାଷୀ ଅଳ୍ପେବହୁଭତ କ୍ଷତିଗ୍ରସ୍ତ।ଏଭଳି ପରିସ୍ଥିତି ରେ ଧାନ ଆଦାୟ କରି ଆଣିବା ମଧ୍ୟ କଷ୍ଟକର।ଏପର୍ଯ୍ୟନ୍ତ ଚିଲିକା ବ୍ଲକ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ।

ସରକାରୀ ସାହାଯ୍ୟ ପାଇଁ ଆକୁଳ ଚାଷୀକୁଳ ହେଲେ ଦୁଃଖ ଦେଖିବାକୁ ଘଟଣା ସ୍ଥଳ କୌଣସି ବିଭଗୀୟ ଅଧିକାରୀ ପରିଦର୍ଶନ କରୁନାହାନ୍ତି।ଯାହା ଫଳରେ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଅପରପକ୍ଷରେ ଚିଲିକା ବ୍ଲକର ଚାଷୀମାନେ କୃଷିରୁଣ ଛାଡ଼ ପାଇଁ ଦାବି କରିବା ସହ କ୍ଷତିପୂରଣ ଯୋଗାଇଦେବା ପାଇଁ ଦାବି ହେଉଛି।ନଚେତ ଆଗାମୀ ଦିନରେ କୃଷକ ଆତ୍ମହତ୍ୟା ବଢ଼ିପାରେ।ତୁରନ୍ତ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି ହେଉଛି।ନଚେତ ଆଗକୁ କୃଷକମାନେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି।