ଗୁଣପୁର, ୦୩।୦୮ (ସିଦ୍ଧାର୍ଥ ଦାସ) ସରକାରଙ୍କ ପକ୍ଷରୁ ଗରୀବ ଖଟିଖିଆ ଙ୍କୁ ସୁଲଭ ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି । ଗରୀବ ମଜୁରିଆ ଏହାର ସୁଫଳ ଯେତିକି ପାଇପାରୁନାହାଁନ୍ତି ତାଠାରୁ ଅଧିକ ଲାଭବାନ ହେଉଛନ୍ତି ଦଲାଲ ବ୍ୟବସାୟୀ । ଏହା ସମ୍ଭବ ହୋଇ ପାରୁଛି କେବଳ ସେଠାରେ କାର୍ଯ୍ୟରତ କିଛି ଅସାଧୁ କର୍ମଚାରୀଙ୍କ ସହଯୋଗରୁ । ଏସବୁରେ ରୋକ ଲଗାଇବା ନିମନ୍ତେ ରାସନ ଯୋଗାଇବା ସମୟରେ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେବା ବ୍ୟବସ୍ଥା ରହିଛି କିନ୍ତୁ ଏହି ନିୟମକୁ କୋଣ ଠେସା କରିଛି ଗୁଣପୁର ଯୋଗାଣ ବିଭାଗ । ବିନା ଫିଙ୍ଗର ପ୍ରିଣ୍ଟ୍ ରେ ଚାଉଳ ଦିଆଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଗୁଣପୁର ବାସିନ୍ଦା ପ୍ରମିଳା ବାଉରୀ । ଏପଟେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ମୈତ୍ରୀ କେନ୍ଦ୍ରର କର୍ମଚାରୀଙ୍କ ସହଯୋଗରେ ଟଙ୍କାଏ ଦରରେ ଚାଉଳ ଉଠାଇ ନେଇ ଆଠ ଟଙ୍କାରେ ବିକ୍ରି କରୁଛନ୍ତି । ଏହାକୁ ଦେଖି ଗୁଣୁପୁର ମୈତ୍ରୀ କେନ୍ଦ୍ର ରେ ଚାଲିଛି ମହା ଦୁର୍ନୀତି ଏବଂ ଅସାଧୁ ବ୍ୟବସାୟୀ ଓ ଅଧିକାରୀଙ୍କ ମଧ୍ୟରେ ରହିଥିବା ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ଘଟୁଛି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି।
ମୈତ୍ରୀ କେନ୍ଦ୍ର ରେ କାର୍ଯ୍ୟରତ କର୍ମଚାରୀ ଙ୍କ ଏଭଳି ସହଯୋଗ ଦଲାଲ ଙ୍କୁ ରାସନ କାର୍ଡ ବନ୍ଧକ ରଖିବାରେ ସହାୟକ ହୋଇଛି । ସୂଚନା ଯୋଗ୍ୟ ଯେ ଅର୍ଥ ଅଭାବ ଯୋଗୁଁ ଶ୍ରୀମତୀ ବାଉରୀ ପାଞ୍ଚ ବର୍ଷ ପୂର୍ବେ ଜୈନିକ ଲୋକ ଙ୍କ ଠାରୁ ନିଜ ରାସନ କାର୍ଡ ବନ୍ଧକ ରଖି କିଛି ଅର୍ଥ ଆଣିଥିଲେ। ଅର୍ଥ ଦେବା ବ୍ୟକ୍ତି ଓ ପ୍ରମିଳା ବାଉରୀ ଙ୍କ ମଧ୍ୟରେ ରେସନ କାର୍ଡ ବନ୍ଧକ ରଖି ନେଇଥିବା ଟଙ୍କା ଫେରାଇବା ପର୍ଯ୍ୟନ୍ତ ପ୍ରତି ମାସରେ ରାସନ କାର୍ଡ ରେ ଯାହା ଚାଉଳ ମିଳିବ ତାହାର ଅଧା, ସୁଧ ଆକାରରେ ଦେବେ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ବିନା ଫିଙ୍ଗର ପ୍ରିଣ୍ଟରେ ଗୁଣୁପୁର ମୈତ୍ରୀରେ ରାସନ ଦିଆଯାଉଥିବା ଯୋଗୁଁ ସେ ଅସୁବିଧା ହେଉଥିବା ଓ ତାଙ୍କ ଭଳି ଅନେକ ଗରୀବ ଲୋକ ମଧ୍ଯ ଅସୁବିଧା ହେଉଥିବା ପ୍ରମିଳା କହିଛନ୍ତି। ଅନ୍ୟ ପକ୍ଷରେ କୋରନା ମହାମାରୀ ଯୋଗୁଁ ରାସନ କାର୍ଡ ଧାରୀ ମାନଙ୍କୁ ସରକାର ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ବିନା ମୂଲ୍ଯରେ ଦିଆଯାଉଥିବା ଶୁଣି, ପ୍ରମିଳା ବନ୍ଧକ ରଖିଥିବା କାର୍ଡ ଟିକୁ ମାଗିଆଣି ମୈତ୍ରୀ କେନ୍ଦ୍ର କୁ ଯାଇଥିଲେ। କିନ୍ତୁ ସେଠାରେ ଥିବା ତାଲିକାରେ ତାଙ୍କ ନାଁ ଆଉ ନାହିଁ ବୋଲି ମୈତ୍ରୀ କେନ୍ଦ୍ର ର କର୍ମଚାରୀ କହିଥିବା ଅଭିଯୋଗ ହୋଇଛି ।
ଏଠାରେ ପ୍ରଶ୍ନ ଉଠିଛି ଏହି ହିତାଧିକାରୀ ଙ୍କ ନିମନ୍ତେ ଆସିଥିବା ଚାଉଳ କୁଆଡେ ଗଲା, ଆଜକୁ ପାଞ୍ଚ ବର୍ଷ ହେଲେ ସେହି କାର୍ଡ ରେ ଚାଉଳ ସେ ବନ୍ଧକ ରଖିଥିବା ଲୋକ ନେଉଥିଲା କେମିତି ? ମୈତ୍ରୀ କେନ୍ଦ୍ରରେ ନିଯୁକ୍ତି ପ୍ରାପ୍ତ କଣ୍ଟାଵାଲା ଶ୍ରୀ ମାଝୀ ଗୌରୀ ପ୍ରସାଦ ନାୟକ ନିଜ କାର୍ଯ୍ୟ ନତୁଲାଇ ରାସନ କାର୍ଡ ଲେଖୁଥିବା ବାହାନାରେ ଦଲାଲ ବେପାରୀଙ୍କ ସହ ହାତ ମିଳାଇ ଏଭଳି ଦୁର୍ନୀତି ଚଲାଇଥିବା କୁହାଯାଉଛି । ଶ୍ରୀ ମାଝୀ ଗୌରୀ ପ୍ରସାଦ ନାୟକ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଏଭଳି କାଣ୍ଡ ଭିଆଇବା ରେ ସୁବିଧା ହେଉଛି । ଗୁଣପୁର ମୈତ୍ରୀ କେନ୍ଦ୍ରରେ ଚାଲିଥିବା ଅରାଜକତାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ଉଠୁଥିଲେ ମଧ୍ୟ ସ୍ଥାନୀୟ ଯୋଗାଣ ନିରୀକ୍ଷକ ଶ୍ରୀମତୀ ରିତା ବେହେରା ଏନେଇ ତଦନ୍ତ କରିବା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କର୍ମଚାରୀ ଙ୍କୁ ଘଣ୍ଟ ଘୋଡାଇ ରଖୁଥିବା ଚର୍ଚ୍ଚା ଜୋର ଧରିଛି । ଶ୍ରୀମତୀ ପ୍ରମିଳା ବାଉରୀଙ୍କ ଅଭିଯୋଗକୁ ଆଧାର କରି ଜିଲ୍ଲା ଯୋଗାଣ ବିଭାଗୀୟ ଅଧିକାରୀ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା କର୍ମଚାରୀ ଏବଂ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସୁପାରିଶ ନକଲେ ପ୍ରମିଳା ବଉରୀଙ୍କ ଭଳି ଅନେକ ପରିବାର ଏଭଳି ସରକାର ଙ୍କ ପ୍ରଦତ୍ତ ସୁବିଧାରୁ ବଞ୍ଚିତ ହେଉଥିବେ ବୋଲି ବୁଦ୍ଧୀଜିବି ମହଲରେ ମତ ପ୍ରକାଶ ପାଇଛି। ଏହି ଅଭିଯୋଗ ସମ୍ପର୍କ ରେ ଯୋଗଯୋଗ ପରେ ମଧ୍ଯ ସ୍ଥାନୀୟ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଦେବବ୍ରତ ମହାପାତ୍ର ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।