କରୋନା ହେଲେ କ’ଣ ଖାଇବେ, କେନ୍ଦ୍ର ଦେଲା ଡାଏଟ୍ ପ୍ଲାନ୍ 

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏବେ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ବିଶେଷଜ୍ଞମାନେ ତୃତୀତ ଲହରକୁ ନେଇ ଚେତାବନୀ ଦେଇସାରିଲେଣି। ଏଭଳି ପରିସ୍ଥିତିରେ ଆକ୍ରାନ୍ତ ରୋଗୀ ଶୀଘ୍ର ଭଲ ହେବାର ଆବଶ୍ୟକତା ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡାଏଟ୍ ପ୍ଲାନ୍ ଜାରି କରାଯାଇଛି।

ଡାଏଟ୍ ପ୍ଲାନ ଅନୁଯାୟୀ କରୋନା ରୋଗୀ ଭିଜା ଆଲମଣ୍ଡ ଓ କିସମିସ୍ ସହ ଦିନ ଆରମ୍ଭ କରିବାକୁ ଦିଆଯାଇଛି ପରାମର୍ଶ। ଆଲମଣ୍ଡରେ ପ୍ରୋଟିନ ଓ ଆଇରନ୍ ଭରପୁର ମାତ୍ରାରେ ଥିବାରୁ ଏହାକୁ ନିୟମିତ ଖାଦ୍ୟରେ ସାମିଲ କରିବାକୁ କୁହାଯାଇଛି।

ସେହିପରି ସକାଳ ଜଳଖିଆରେ ମାଣ୍ଡିଆ କିମ୍ବା ଦଲିଆ ଖାଇପାରିବେ। ଏହା ହଜମ ଶକ୍ତି ବଢ଼ାଇବା ସହ ଇମ୍ୟୁନିଟି ବଢ଼ାଇବାରେ ସହାୟକ ହେବ। ଫାଇବାର ଯୁକ୍ତ ଖାଦ୍ୟ ଖାଇବା କରୋନା ରୋଗୀଙ୍କ
ପାଇଁ ବେଶ ଲାଭଦାୟକ।

ଖାଇବା ବେଳେ ବା ପରେ ଗୁଡ ଓ ଘିଅ ଖାଇବାକୁ ଡାଏଟ୍ ପ୍ଲାନରେ କୁହାଯାଇଛିି। ଏ ଦୁଇଟି ଜିନିଷ ଆମ ଶରୀରକୁ ଗରମ ରଖିବା ସହିତ ଇମ୍ୟୁନିଟି ବଢ଼ଇଥାଏ।

ରାତ୍ରୀ ଭୋଜନରେ ସାଧାରଣ ଖେଚୁଡି ଖାଇପାରିବେ। ଆମ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଏଥିରେ ମହଜୁଦ ରହିଛି। କରୋନା ରୋଗୀକୁ ଡାଇରିଆ ଭଳି ସମସ୍ୟାରୁ ଦୂରେଇ ରଖିବାରେ ଏହା ସହାୟକ ହୁଏ ।

ଡାଏଟ୍‌ରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଚିକେନ, ମାଛ, ଅଣ୍ଡା, ପନିର, ସୋଆବିନ ଓ ବାଦାମ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ଏସବୁରେ ରହିଛି ପ୍ରଚୁର ମାତ୍ରାରେ ପ୍ରୋଟିନ।

ପ୍ରତିଦିନ ୫ଟି ରଙ୍ଗ ଫଳ ଖାଇବା ଉଚିତ। ଏହା ଶରୀର ଭିଟାମିନ ଓ ମିନେରାଲସ ଅଭାବକୁ ଦୂର କରିଥାଏ। ଏଥିସହ ହୋମ ଆଇସୋଲେସନରେ ଥିବା ବ୍ୟକ୍ତି କମ୍ ପରିମାଣରେ ଡାର୍କ ଚକୋଲେଟ ମଧ୍ୟ ଖାଇପାରିବେ।

କ୍ଷୀରରେ ହଳଦୀ ମିଶାଇ ପ୍ରତିଦିନ ପିିଇଲେ ଶରୀର ଇମ୍ୟୁନିଟି ବଢିଥାଏ। ଏଥିସହ ଆଲିଭ ଅଏଲ୍‌, ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ପରାମର୍ଶ ଦିଆଯାଇଛି।

କରୋନା ସଂକ୍ରମିତ ହେଲେ ନିଜକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ। ସାଧା ପାଣି ବ୍ୟତୀତ ନିୟମିତ ଘରେ ଲେମ୍ବୁ ପାଣି ଓ ବଟରମିଲକ୍ ବ୍ୟବହାର କରିପାରିବେ।