ହାଇଦ୍ରାବାଦରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟରେ ପ୍ରେରିତ ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌ ଭି’

ନୂଆଦିଲ୍ଲୀ: ରୁଷ୍‌ ଟିକା ସ୍ପୁଟ୍‌ନିକ ଭିର ଦ୍ୱିତୀୟ ବ୍ୟାଚ୍ ରବିବାର ଦିନ ତେଲେଙ୍ଗାନାର ହାଇଦ୍ରାବାଦରେ ପହଞ୍ଚିଛି। ଆସନ୍ତା ସପ୍ତାହରୁ ଏହି ଟିକା ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ରୁଷ ଟିକା ସ୍ପୁଟନିକ ଭିର ପ୍ରଭାବ ପୂରା ଦୁନିଆରେ ଚର୍ଚ୍ଚାରେ ରହିଛି। ଏହି ଟିକା କରୋନା ବିରୋଧରେ କେତେ ପ୍ରଭାବଶାଳୀ ତାହା ସମସ୍ତେ ଭଲ ଭାବେ ଜାଣନ୍ତି। ବିଶ୍ୱର ସର୍ବବୃହତ କରୋନା ଟିକାକରଣ ଅଭିଯାନରେ ଭାରତରେ ବ୍ୟବହୃତ ହେଉଥିବା ସ୍ପୁଟନିକ୍ ଭି ପ୍ରଥମ ବିଦେଶୀ ନିର୍ମିତ ଟିକା ହୋଇପାରିଛି।

ସୂଚନାଯୋଗ୍ୟ, ମେ ପହିଲା ଦିନ ‘ସ୍ପୁଟ୍‌ନିକ୍‌ ଭି’ର ପ୍ରଥମ ଛେକ ଭାରତରେ ପହଞ୍ଚିଥିଲା। ମେ ୧୩ ତାରିଖରେ କସୌଲିର ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ ଲାବ୍ରଟରି’ ଅନୁମୋଦନ ପାଇବା ପରେ ମେ ୧୪ ତାରିଖ ଦିନ ହାଇଦ୍ରାବାଦର ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ପ୍ରଥମ କରି ଭାରତରେ ‘ସ୍ପୁଟ୍‌ନିକ୍‌ ଭି’ ଟିକା ପ୍ରୟୋଗ କରିଥିଲା। ରୁଷ୍‌ରୁ ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ଆମଦାନି କରୁଥିବା ଏହି ଟିକାର ମୂଲ୍ୟ ଭାରତୀୟ ବଜାରରେ ଡୋଜ୍‌ପିଛା ଟ. ୯୯୫.୪୦ ମିଳୁଛି।