ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୫’ ମହୁଲପାଟଣାରେ ନୌଚାଳନା ଓ ତୀରନ୍ଦାଜ ପ୍ରତିଯୋଗିତା

କଳାହାଣ୍ଡି,୫/୧ (ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଉତ୍ସବ ‘ଘୁମୁରା ପାଳନ ଅବସରରେ ମହୁଲପାଟଣା କେନ୍ଦୁଗୁଡ଼ା ନିକଟରେ ନୌଚାଳନା ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ଏବଂ ଜିଲ୍ଲା ମତ୍ସ୍ୟ ଚାଷ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାରେ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସିଡିଏମ୍‌ଓ ଡା. ସୂଚିତା ପାଣି, ଜିଲ୍ଲା ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦିଲୀପ ମହାରଣା, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ମତ୍ସ୍ୟ ଚାଷ ଅଧିକାରୀ ଦ୍ରୌପଦୀ ମାଝୀ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ବିଡିଓ ଧ୍ରୁବଚରଣ ମୁଦୁଲି, ପବିତ୍ର ନାଏକ, ସ୍ବତନ୍ତ୍ର ଅଧିକାରୀ (ଆଇଟିଡିଏ) ନନ୍ଦକିଶୋର ତାଣ୍ଡି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମହାପ୍ରସାଦ ଦାସ, ପ୍ରକଳ୍ପ ପରିଚାଳକ ଅବିନାଶ ମହାନ୍ତି, ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ଏବଂ ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଶୁଭଜିତ ସ୍ୱାଇଁ ସମାନ୍ନୀତ ଅତିଥି ଭାବେ ଯୋଗ ଦେଇଥିଲେ |ଏମଏସପିଏମ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ଏବଂ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ। ନୌଚାଳନା ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ କମଳାଗୁଡାର ସୁବାସ ମାଝୀ ଏବଂ ଚକ୍ର ମାଝୀ ପ୍ରଥମ, ରାଏପାସର ଜୟସିଂ ମାଝୀ ଓ ଡମ୍ବରୁ ମାଝୀ ଦ୍ବିତୀୟ ଏବଂ କେନ୍ଦୁଗୁଡ଼ାର ତ୍ରିନାଥ ମାଝୀ ଓ ଧନେଶ୍ବର ମାଝୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ କରିଥିଲେ ।ସେହିପରି ତୀରନ୍ଦାଜ ପ୍ରତିଯୋଗିତାରେ ୭୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ଉପରଚବ୍ରି ଗ୍ରାମର ବୁଦୁ ମାଝୀ ଏବଂ ସଦାଶିବ ପୁରସ୍କୃତ ହୋଇଥିଲେ। ଥୁଆମୂଳ ରାମପୁର ବ୍ଳକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପର ହୋଇଥିବା ସୁପ୍ରଭା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ୨୦ ହଜାର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା |