ଓଡ଼ିଶା ମ୍ୟୁନିସପାଲ୍ କର୍ପୋରେସନ ଆଇନ ଭଙ୍ଗ କରିଥିବା ଅପରାଧୀ କର୍ପୋରେଟର ମାନଙ୍କର ସଭ୍ୟପଦ ରଦ୍ଦ କରାଯାଇ ତୁରନ୍ତ ନିର୍ବାଚନ କରାଯାଉ : ବିଜେପି, ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, ୦୧/୦୩ : ବ୍ରହ୍ମପୁର ମହାନଗର ନିଗମର ୪ ଜଣ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ଡ଼ି.କରୁଣାକର ଓ ପ୍ରଦୀପ କୁମାର ଶତପଥୀ ଗତ ୨୬ ତାରିଖରେ ବିଜେଡ଼ି ଦଳରେ ଯୋଗ ଦେବା ଗଣମାଧ୍ୟମରେ ବହୁଳ ପ୍ରଚାରିତ ହୋଇଛି । ଏହା ଦଳ ବଦଳ ବିରୋଧୀ କାର୍ଯ୍ୟ ଅଟେ । ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ ୨୦୦୩ର ଧାରା ୧୧୨(କ) ଉଲଘଂନ କରାଯାଇଥିବାରୁ ଦଳ ବିରୋଧୀ ଆଇନ ଅନୁଯାୟୀ ତାଙ୍କ ସଭ୍ୟପଦ ରଦ୍ଦ କରାଯାଇ ତୁରନ୍ତ ନିର୍ବାଚନ କରାଯାଉ । ସେମାନେ ବ୍ରହ୍ମପୁରବାସୀଙ୍କ ସହ ବିଶ୍ୱାସଘାତ କରିଛନ୍ତି । ସେମାନଙ୍କ ସଭ୍ୟପଦ ତୁରନ୍ତ ରଦ୍ଦ କରିବା ପାଇଁ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏବଂ ଜିଲ୍ଲା ବିଜେପିର ଅନୁରୋଧ କ୍ରମେ ଆଜି ଦଳୀୟ ନେତୃବୃନ୍ଦ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରେ ମକଦ୍ଦମା ଦାୟର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦଳର ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ମକଦ୍ଦମା ଦାୟର କରିଛନ୍ତି ଏବଂ ଏହାକୁ ବିଚାର କରି କମିଶନ ତୁରନ୍ତ ପଦକ୍ଷେପ ନେବାକୁ ଦଳ ଦାବୀ କରିଛି । ଏହି ଅବସରରେ ଲିଗାଲ୍ ସେଲ୍‌ର ରବି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ପ୍ରବକ୍ତା ପ୍ରକାଶ ରଥ, ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାହ୍ନୁ ଚରଣ ପତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଜେପି, ଓଡ଼ିଶା ।