ଢେଙ୍କାନାଳ, (ଶୁଭମ ପାଣି) : ଢେଙ୍କାନାଳ ଜିଲା କାର୍ଯ୍ୟାଳୟର ସଦଭାବନା ଗୃହରେ ଗୁରୁବାର ଅପରାହ୍ନରେ ଜିଲା କୃଷି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଚି । ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ୟୁରିଆ ସାରର ଯେପରି କଳାବଜାର ନହୋଇବ ସେଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବା ସହିତ କୃଷି ସମବାୟ ସମିତି ଗୁଡିକରେ ପର୍ଯ୍ୟାପ୍ତ ସାର ମହଜୁଦ ରଖିବାକୁ କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ପ୍ରକାର କୃଷି ଯୋଜନା ସମ୍ବନ୍ଧରେ ପଂଚାୟତିରାଜ ଜନ ପ୍ରତିନିଧି ମାନଙ୍କୁ ମୋ ବ୍ଲକ ମିଟିଂରେ ସୂଚନା ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଚଳିତ ଖରିଫ ଋତୁ ପାଇଁ ସମସ୍ତ କାର୍ଯ୍ୟକ୍ରମ ଉପରେ ଜିଲା ମୁଖ୍ୟ କୃଷି ଅଧିକାରୀ ଦିପ୍ତୀକାନ୍ତ ରାଉତରାୟ କହିଥିଲେ । ଉଠା ଜଳସେଚନ ଗୁଡିକରେ ରବି ଋତୁରେ ଠିକ୍ ଭାବରେ କାର୍ଯ୍ୟକ୍ଷମ କରିବା ସହିତ ନିର୍ଦ୍ଧାରିତ ଫସଲ ଗୁଡିକ ଲକ୍ଷ୍ୟ ପୂରଣ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଖାଦ୍ୟ ନିରାପତା ମିଶନରେ ୧୪ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିନି ଡାଲି ପ୍ରୋସେସର ୟୁନିଟ ଖୋଲିବା ପାଇ ପ୍ରେସେସିଂ ମେଶିନ ଜିଲାପାଳ ପ୍ରଦାନ କରିଥିଲେ । ଏହାଦ୍ୱାରା ପର୍ଯ୍ୟାପ୍ତ ଉତ୍ପାଦନ ହେଉଥିବା ଡାଲି ଫସଲରୁ ଡାଲି ପ୍ରସ୍ତୁତ କରି ମହିଳା ସ୍ୱୟଂ ସହାୟକ ଗୁଡିକ ଅଧିକ ଲାଭବାନ୍ ହେବେ ବୋଲି ସୂଚନା ଦେଇଥିଲେ । ସମନ୍ୱିତ ଫାର୍ମ ପଣ୍ଡ ଯୋଜନାରେ ୫୧ଜଣଙ୍କର କାର୍ଯ୍ୟାଦେଶ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସୂଚନା ଦିଆଯାଇଥିଲା । ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗୋଟିଏ ପାଣି ପଂଚାୟତ ଓ ଗୋଟିଏ କୃଷକ ଉତ୍ପାଦକ ସଂଘକୁ କୃଷି ଯନ୍ତ୍ରପାତି ବ୍ୟାଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ୮୦ ପ୍ରତିଶତ ସବସିଡିରେ ଫାର୍ମ ମେଶିନାରୀ ଟ୍ରାକ୍ଟର, ରୋଟାଭେକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ଗୁଡିକୁ ଯୋଗାଇ ଦିଆଯାଇବାର ବ୍ୟବସ୍ଥା ରହିଛି । ବୃହତ ଜଳସେଚନ ପ୍ରକଳ୍ପ ଅଂଚଳ ପାଇଁ ଫସଲର ବିବିଧକରଣ ଉପରେ ସହଯୋଗୀ ଅନୁଷ୍ଠାନ ଗୁଡିକର ପାଓର୍ୱାର ପଏଂଟ ଦ୍ୱାରା ଉପସ୍ଥାପନା କରାଯାଇଥିଲା । ଆକାଂକ୍ଷି ଜିଲା ଭାବରେ ମିଳିଥିବା ୧କୋଟି ୬୦ଲକ୍ଷ ଅନୁଦାନକୁ ୮ଟି ବ୍ଲକରେ ସୋଲାର କୋଲଡ୍ ଚ୍ୟାମ୍ବର କାର୍ଯ୍ୟ ଶେଷ କରିବାକୁ ଜିଲାପାଳ କୃଷି ବିଭାଗକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ ଲଳିତ କୁମାର ବେହେରା, ଜିଲା ମୁଖ୍ୟ କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ, ଉଦ୍ୟାନ କୃଷି ଅଧିକାରୀ ଗୀତାଶ୍ରୀ ପାଢୀ, ସମବାୟ ସମିତି ଉପନିବନ୍ଧକ ସରୋଜିନୀ ଜେନା, ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ଜ୍ୟୋତି ଦୀପ୍ତ ପଟ୍ଟନାୟକ ଓ କାମାକ୍ଷାନଗର କୃଷିଜିଲା ଅଧିକାରୀ, ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀଙ୍କ ସମେତ, ନାବାର୍ଡ ଡିଡିଏମ୍, ଉଠା ଜଳସେଚନ ବିଭାଗ, ଜଳଛାୟା ପ୍ରକଳ୍ପ ନିଦେ୍ର୍ଦଶକ ପ୍ରମୁଖ ଉପସ୍ଥିତ ଥିଲେ ।