ରାୟଗଡା ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଲେ ଜିଲ୍ଳାର ବିକାଶ ହୁଏ : ଜିଲ୍ଳାପାଳ

ରାୟଗଡା,୧୬/୧୧(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡା ଜିଲ୍ଳା ସଂସ୍କୃତି ଭବନ ଠାରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୨ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲାକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଧର୍ମାନନ୍ଦ ବେହେରା,ରାୟଗଡା ଉପଜିଲ୍ଳାପାଳ ଶ୍ରୀ ଭୀମସେନ ଶବର,ଗୁଣପୁର ଉପଜିଲ୍ଳାପାଳ ଶ୍ରୀ ଲୋକନାଥ ଦଳବେହେରାଙ୍କ ସମେତ ମୁଖ୍ୟ ବକ୍ତା ଭାବେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ରାଜନୀତି ବିଞାନ ଅଧ୍ୟାପିକା ମାନସୀ ମହାନ୍ତି ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ସଂଗୀତ ଗାନ ପରେ ଚଳିତ ବର୍ଷ ‘ରାଷ୍ଟ୍ର ଗଠନରେ ଗଣମାଧ୍ୟମରେ ଭୂମିକା’ଶୀର୍ଷକ ବିଷୟବସ୍‌ୁ ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ରାୟଗଡା ଓ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାର କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଭିକ,ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ ଦିଗରେ ନିଜର ଆଭିମୁଖ୍ୟ ରଖି ନିଜ କର୍ତବ୍ୟ ପାଳନ କରୁଥିବାରୁ ଆଜି ଉଭୟ ଜିଲ୍ଳାରେ ଗଣମାଧ୍ୟମ ପ୍ରତିନିଧିମାନେ ସମସ୍ତଙ୍କ ଆସ୍ଥା ଭାଜନ କରିପାରିଛନ୍ତି ।

ତାଙ୍କ ଦ୍ୱାରା ପ୍ରକାଶିତ ସମସ୍ୟାଭିତିକ ଖବରଗୁଡିକ ପ୍ରଶାସନ ଓ ସରକାରଙ୍କ ଠାରେ ପଂହଚି ପାରୁଥିବାରୁ ଆଜି ଉଭୟ ଜିଲ୍ଳାର ବିଭିନ୍ନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିଛି ଏବଂ ଜିଲ୍ଳାର ବିକାଶ ହେଉଛି ବୋଲି ମୁଖ୍ୟ ଅତିଥି ଶ୍ରୀ ଉଲାକା ନିଜ ମତବ୍ୟକ୍ତ କରିଥିଲେ । ସେହିପରି ସମ୍ମାନୀତ ଅତିଥି ବିଧାୟକ ଶ୍ରୀ ମୁଦୁଲି ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ ହୋଇ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ଜିଲ୍ଳାରେ ଜିଲ୍ଳାପାଳ ଭାବେ ଯୋଗ ଦେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଳାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଓ ଶୁଭେଚ୍ଛା ମିଳିଥିବାରୁ ଆଜିର ଏହି ଦିବସରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭଚ୍ଛୋ ଜଣାଇବା ସହ ଜିଲ୍ଳା ପ୍ରଶାସନ ପକ୍ଷରୁ ଯେ କୈାଣସି ସହଯୋଗ ଆବଶ୍ୟକ ତୁରନ୍ତ ପ୍ରଦାନ କରାଇବା ପାଇଁ ପ୍ରତିଶୃତି ଦେବା ସହ ଗଣମାଧ୍ୟମ ଓ ଜିଲ୍ଳା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତେ ମିଳିମିଶି ଜିଲ୍ଳା ବିକାଶରେ ସହାୟକ ହୋଇପାରିବା ବୋଲି ଜିଲ୍ଳାପାଳ ସ୍ୱଧାଦେବ ସିଂ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ମାନସୀ ମହାନ୍ତି ରାଷ୍ଟ୍ର ଗଠନ ଓ ସମ୍ବିଧାନ ସୁରକ୍ଷାରେ ଗଣମାଧ୍ୟମର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦଚନ୍ଦ୍ର ପଣ୍ଡା ସାମ୍ବାଦିକଙ୍କ ସମସ୍ୟାକୁ ପ୍ରଶାସନ ତଥା ସରକାର ସମାଧାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନେ ଖବର ସଂଗ୍ରହ ସମୟରେ ଉପୁଜୁଥିବା ଅନେକ ସମସ୍ୟା ଓ ସେମାନଙ୍କର ଦାବିସମୂହ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ଦିବସ ପାଳନ ଅବସରରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ଓଡିଶା ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସାଂସଦ ଶ୍ରୀ ଉଲକା,ବିଧାୟକ ଶ୍ରୀ ମୁଦୁୁଲି ଏବଂ ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କୁ ୬ଦଫା ବିଶିଷ୍ଠ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା,ସାମ୍ବାଦିକଙ୍କୁ ମାସିକ ୫ହଜାର ଟଙ୍କା ପେନସନ ଯୋଗାଇବା,ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ କରିବା ସମେତ ଅନ୍ୟାନ୍ୟ ଦାବି ଉଲ୍ଳେଖ ରହିଥିଲା । ଏହି ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଳାର ସମସ୍ତ ବ୍ଳକରୁ ସାମ୍ବାଦିକ ବନ୍ଧୁମାନେ ଯୋଗ ଦେଇଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସଭା ପରିଚାଳନା ଓ ସଂଯୋଜନା କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଳା ସଂସ୍କୃତି ବିଭାଗ ଓ ଡିଆଇପିଆରଓଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।