ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ର ମାନ୍ୟତା ପାଇଥିବା ବାଲିଗୁଡା ଉପଖଣ୍ଡ ରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାକୁ ଲାଗିଛି l ଡାକ୍ତର ଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ମରୁଡି ଯୋଗୁଁ ରୋଗୀ ସେବାରେ ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି l ଜରୁରୀକାଳୀନ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି l ଅନେକ ରୋଗୀ ଅପେକ୍ଷା ନକରି ପାରି ଘରକୁ ଫେରୁଛନ୍ତି l ଡାକ୍ତର ଖାନା ପ୍ରତି ଲୋକଙ୍କ ଭରଷା ତୁଟିଗଲାଣି l ଡାକ୍ତର ପଦବୀ ସଂଖ୍ୟା ୨୪ ଥିବାବେଳେ ମାତ୍ର ୩ ଜଣ ଡାକ୍ତର ରୋଗୀସେବା କରୁଛନ୍ତି l ସେହି ୩ ଜଣ ଡାକ୍ତର ମଧ୍ୟରୁ ପାଳିକରି ଜଣେ ଡାକ୍ତର ରୋଗୀସେବା କରୁଥିବା ନେଇ ଅଭିଯୋଗ ହେଉଛି l ସୋମବାର ଦିନ ଅପରାହ୍ନ ୪ ଟା ବେଳେ ମେଡିକାଲ ରେ ରୋଗୀ ସଂଖ୍ୟା ଅଧିକ ଥିବା ବେଳେ ଜଣେ ମାତ୍ର ଡାକ୍ତର ରୋଗୀ ସେବା କରୁଥିବା ଦେଖିବାକୁ ମିଳିଥିଲା l ଅନ୍ୟ ଦୁଇ ଡାକ୍ତରଙ୍କ ଦେଖା ମିଳିନଥିଲା l ଆମ ପ୍ରତିନିଧି ଫୋଟ ଉତ୍ତୋଳନ ଖବର ପାଇ ଦୁଇ ଡାକ୍ତର ଆସିଥିଲେ l
ବର୍ଷା ଦିନ ହୋଇଥିବାରୁ ଜ୍ଜର ଓ ଡ଼ାଇରିଆ ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଛି l ଉପଖଣ୍ଡ ମେଡିକାଲର ଏହି ଅବସ୍ଥା ଯୋଗୁଁ ରୋଗୀମାନେ ଡାକ୍ତର ଖାନା କୁ ଆସିବାକୁ ଉଚିତ ମନେ କରୁନାହାନ୍ତି l ସାଧାରଣ ଜ୍ଜର ଓ ପେଟ ବ୍ୟଥା ଓ ଆସନ୍ନ ପ୍ରସବା ମହିଳାଙ୍କୁ ଫୁଲବାଣୀ ରେଫର କରାଯାଉଥିବା ଅଭିଯୋଗ ହେଉଛି l ଉପଖଣ୍ଡ ଡାକ୍ତର ଖାନାଟି 5ଟି ଅଧୀନରେ ଚାଲିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଉପରେ ଚିକଣ ଭିତରେ ଫମ୍ପା l କେବଳ ବିଲଡିଂ ଓ କାନ୍ଥ ରେ ଚୂନମାରି ସରକାର ବିକାଶ କରୁଛି ବୋଲି କହୁଛି l ଡାକ୍ତରଖାନା ଉପରେ ଜ଼ିଲ୍ଲାର ନଅ ଗୋଟି ବ୍ଲକ ଓ ପଡୋଶୀ ବୌଦ୍ଧ କଳାହାଣ୍ଡି ଓ ରାୟଗଡା ଜ଼ିଲ୍ଲାର ସୀମାନ୍ତ ଅଞ୍ଚଳ ର ଶହଶହ ଲୋକେ ନିର୍ଭରଶିଳ l ଡାକ୍ତର ପଦବୀ ପୂରଣ ନେଇ ବାଲିଗୁଡା ର ବିଭିନ୍ନ ସଂଗଠନ ତରଫରୁ ବାରମ୍ବାର ଆନ୍ଦୋଳନ ଧାରଣା କରିଛନ୍ତି କିନ୍ତୁ ମିଳିଛି କେବଳ ପ୍ରତିଶୃତି l ପ୍ରଶାସନ ର ଚରମ ଅବହେଳା ନିର୍ବାଚିତ ଜନ ପ୍ରତିନିଧି ଙ୍କ ବୈମାତୃକ ମନୋଭାବ ଯୋଗୁଁ ଡାକ୍ତର ଖାନାର ଉନ୍ନତି ହେଉନାହିଁ l
ଦୀର୍ଘ ଦିନ ହେବ ମେଡିକାଲ ପରିସର ମଧ୍ୟରେ ଥିବା ସୁଲଭ ଶୌଚାଳୟ ମଧ୍ୟ କାର୍ଯ୍ୟକ୍ଷମ ହେଉନି ଫଳରେ ଲୋକେ ହୀନସ୍ତା ଭୋଗୁଛନ୍ତି ଯାହାକି, ଅସନ୍ତୋଷର ଦାନା ବାନ୍ଧୁଛି l ଆଗାମୀ ଦିନରେ ବଡ଼ ଧରଣର ଜନ ଆନ୍ଦୋଳନ ପାଇଁ ଲୋକେ ସଜବାଜ ହେଉଥିବା ନେଇ ଜଣାପଡିଛି l ଏହି ଉପଖଣ୍ଡ ମେଡିକାଲ ଉପରେ ନିର୍ଭରଶିଳ ଦୁଇଟି ନିର୍ବାଚନ ମଣ୍ଡଳୀ ବାଲିଗୁଡା ଓ ଘୁ.ଉଦୟଗିରି ବିଧାୟକ ତଥା କନ୍ଧମାଳ ସାଂସଦ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲ ରେ ଦାବୀ ହୋଇଛି l