ଟାଙ୍ଗୀ:-୦୩/୦୮(ବିନୁ ଦାସ୍):-ଦୀର୍ଘ ବର୍ଷ ଧରି ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ତହସିଲ ଏବଂ ଟାଙ୍ଗୀ ତହସିଲ ଅଞ୍ଚଳରେ କୋଟି କୋଟି ଟଙ୍କାର ଚୋରା ମାଙ୍କଡ଼ା ପଥର ଲୁଟ ହେଉଥିଲା। ଏ ନେଇ ବାରମ୍ବାର ଗଣମାଧ୍ୟମ ଠାରୁ ଆରମ୍ଭକରି ସ୍ଥାନୀୟ ଜନସାଧାରଣ ବିରୋଧ କରୁଥିଲେ ବି ପ୍ରଶାସନ ଟେର ପାଉନଥିଲା । କିନ୍ତୁ ଟାଙ୍ଗୀ ଥାନାରେ ଯୋଗ ଦେଇଥିବା ଦକ୍ଷ ଥାନାଧିକାରୀ ବିଜୟ ମଲ୍ଲିକ,ବାଲୁଗାଁ ଏସଡିପିଓ ମାନସ ବାରିକ ଙ୍କର କଡା ଆଭିମୁଖ୍ୟ ଯୋଗୁଁ ଖଣି ଖନନ କିଛି ମାତ୍ରାରେ କମିଛି । ପ୍ରାପ୍ତ ସୂଚନା ମୁତାବକ କୁହୁଡି ଛକ ନିକଟସ୍ଥ କଇଥିପଲା ଖଣିଲୁଟ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ । ଏ ନେଇ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଏବଂ ତହସିଲଦାର ଟାଙ୍ଗୀ ସ୍ମୃତି ରଞ୍ଜନ ଶତପଥି ପୂର୍ବ ଯୋଜନା ମୁତାବକ ରାତିଅଧିଆ କଇଥିପଲା ଖଣିରେ ପୋଲିସ ବାହିନୀ ସହ ପହଞ୍ଚି ଅଚାନକ ଚଢ଼ାଉ କରିଥିଲେ ।
ଯାହା ଫଳରେ ଘଟଣା ସ୍ଥଳରୁ ଛାତ୍ରଭଙ୍ଗ ଦେବାକୁ ଖଣି ମାଫିଆ ମାନେ ଉଦ୍ୟତ ହେବାବେଳେ ଥାନାଧିକାରୀ ଟାଙ୍ଗୀ ଏବଂ ତହସିଲଦାର ଟାଙ୍ଗୀ ଗୋଟିଏ ପୋକଲେନ ଦୁଇଟି କଂପ୍ରେସର କୁ ଜବତ କରି ନିଜ ହେପାଜତ କୁ ଆଣିଥିଲେ।ଏପରିକି ଖଣି ଲୁଟରେ ସାମିଲ ଛଅ ଜଣ ଖଣି ଲୁଟେରା ଙ୍କୁ ପୋଲିସ ଗିରଫ କରି ଟାଙ୍ଗୀ ଥାନାରେ ଅଟକ ରଖିଛି । ଯାହା ଫଳରେ ସ୍ଥାନୀୟ ଜନସାଧାରଣଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ଉଭୟ ଦକ୍ଷ ଅଧିକାରୀ । ଲଗାତାର ଚଢ଼ାଉ ଫଳରେ ଖଣି ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଚଣ୍ଡେଶ୍ଵର ଛକ ନିକଟ ଟାଙ୍ଗୀ ତଳଗଡ଼ ମୌଜା ଖଣିରୁ ଦିନରାତି ମାଙ୍କଡ଼ା ପଥର ଲୁଟ ହେଉଛି। ଏ ଦିଗରେ ଦୃଷ୍ଟି ଦେବାକୁ ଉଭୟ ଅଧିକାରୀ ଙ୍କୁ ଚଣ୍ଡେଶ୍ଵର ବାସୀ ଅନୁରୋଧ କରିଛନ୍ତି।