କାଳୁପଡ଼ା ଘାଟ,୧୧/୦୭(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ କାଳୁପଡ଼ା ଘାଟ ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ଏକ ଜନ ବହୁଳ ପଞ୍ଚାୟତ । ଏହି ପଞ୍ଚାୟତର ପ୍ରମୁଖ ରାସ୍ତା ଦୀର୍ଘ ଦିନ ଧରି ଖାଲଖମା ଭର୍ତ୍ତି ସହ ଅସରାଏ ବର୍ଷା ହେଲେ ପାଣିର ଲହଡ଼ି ସହ କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରେ । ଏପରିକି ଦୈନିକ ହଜାର ହଜାର ଲୋକ ଗାଡି ମଟର ଧରି ଯାତାୟାତ କରନ୍ତି । ବିଶେଷ କରି ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଜରିପଡ଼ା ରାଜସ୍ୱ କାର୍ଯ୍ୟାଳୟ, ଜରିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର,ପଞ୍ଚାୟତ ଅଫିସ, ଜରିପଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟ ରହିଥିବା ବେଳେ ଦୈନିକ ବିଭିନ୍ନ ସରକାରୀ କାର୍ଯ୍ୟରେ ବହୁ ବାହାର ଯାତ୍ରୀ ମଧ୍ୟ ଯାତାୟାତ କରନ୍ତି ।
ଏ ବିଷୟରେ ଆମ ପ୍ରତିନିଧି ବାରମ୍ବାର ଖବର ମାଧ୍ୟମରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ(ଗଣେଶ)ଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ବିଗତ ଜାନୁଆରୀ ୨୪ ତାରିଖରେ ବିଧାୟକ ଚିଲିକା ଏହି ରାସ୍ତାର ମରାମତି ପାଇଁ ବହୁ ଆଡ଼ମ୍ବରରେ ଉଦଘାଟନ କରି ଏକ ମାସ ମଧ୍ୟରେ ମରାମତି ସାରିବାକୁ ଗଣମାଧ୍ୟମକୁ ଅବଗତ କରିଥିଲେ । ଏପରିକି ଏହି ଉଦଘାଟନ ସଭାରେ ବିଧାୟକ ଚିଲିକା ପ୍ରତିନିଧି ଅଶ୍ୱିନୀ ସେଣ,କଳକଳେଶ୍ଵର ସରପଞ୍ଚ ଅସିତ୍ ନାଥ୍,ଜରିପଡ଼ା ସରପଞ୍ଚ ଉମାକାନ୍ତ ବେହେରା, ମାନସିଂ ପୁର ସରପଞ୍ଚ ସନାତନ ବେହେରା ପ୍ରମୁଖ ବିକାଶର ଧାରା ପାଇଁ ଉପସ୍ଥିତ ଥିବା ବେଳେ ସଭାର ପ୍ରମୁଖ ଆକର୍ଷଣ ଥିଲେ ଚିଲିକା ବ୍ଲକ ଭାଇସ ଚେଆରମ୍ୟାନ ଉତ୍ପଳ ପାଇକରାୟ ପ୍ରମୁଖ ଉପସ୍ଥିତରେ ନଡ଼ିଆ ଭଙ୍ଗା ସହ ହୋମଜଜ୍ଞ ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ ଫଳକ ଲଗାଯାଇଥିଲା ।
କିନ୍ତୁ ଦୁଃଖର କଥା ବର୍ତ୍ତମାନ ଛଅ ମାସ ବିତିଗଲେ ବି ରାସ୍ତା କାମ ମାତ୍ର ୧୦୦ ମିଟର ପିଚୁ ମରାମତି ହୋଇ ଆଉ କାହାର ଦେଖା ମିଳୁନି । ଏହା ସହ ରାସ୍ତା ଟି ନିମ୍ନମାନର କାମ ହେବା ସହ ରାସ୍ତା ପାର୍ଶ୍ୱରେ ନିର୍ମିତ ଗାର୍ଡ ୱାଲ ମଧ୍ୟ ଅତି ନିମ୍ନମାନର ହୋଇଥିବାର ଅଭିଯୋଗ ହେଉଛି । ସବୁଠାରୁ ଦୁଃଖର କଥା ଚିଲିକା ବିଧାୟକଙ୍କର ପ୍ରତିନିଧି ଭାବେ ଅଶ୍ୱିନୀ ସେଣ ବିକାଶର ରାସ୍ତାରେ ବିଧାୟକ ଚିଲିକାଙ୍କର ସାରଥୀ ସାଜି ବିଭିନ୍ନ ସ୍ଥାନରେ ଗୁଣଗାନ କରୁଥିବା ବେଳେ ଖୋଦ ପୂର୍ବତନ ଚିଲିକା ବ୍ଲକ ଚେଆରମ୍ୟାନ ତଥା ବର୍ତ୍ତମାନ ବିଧାୟକ ପ୍ରତିନିଧି ଚିଲିକାଙ୍କର ଘର ସମ୍ମୁଖରେ ଏକ ବଡ଼ କୁତ୍ରିମ ପୋଖରୀ ସୃଷ୍ଟି ହୋଇଛି ।
ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଯେଉଁଠି ବିକାଶର ଲମ୍ବା ଭାଷଣ ଶୁଣାଉଥିବା ପ୍ରତିନିଧିଙ୍କର ଘର ସମ୍ମୁଖରେ ରାସ୍ତାର ଅବସ୍ଥା ଯେମିତି ଏକ ବଡ଼ କୁଣ୍ଡ ପାଲଟିଛି ସେହିଭଳି ଭାବରେ ଚିଲିକା ବ୍ଲକର ବିକାଶର ଚିତ୍ର ଯାହା ହୋଇଥିବ ସେହି ରାସ୍ତାରେ ଯାଉଥିବା ବାଟୋଇ ହିଁ କହିପାରିବ । ଉଦଘାଟନର ସାତମାସ ପରେ ବି ବିକାଶ ଯଥା ପୂର୍ଵମ ତଥା ପରମ । ତୁରନ୍ତ ଏ ଦିଗରେ ଚିଲିକା ବିଧାୟକ ପଦକ୍ଷେପ ନେବା ସହ ଖୁବଶୀଘ୍ର ମରାମତି କରିବାକୁ ଦାବି ହେଉଛି।