ସୀମାରେ ଥିବା ଯବାନଙ୍କ ପାଇଁ ଦୀପଟିଏ ଜାଳନ୍ତୁ, ସପିଙ୍ଗ କରୁଥିଲେ ସ୍ବଦେଶୀ ଜିନିଷ କିଣନ୍ତୁ: ମୋଦୀ

ନୂଆଦିଲ୍ଲୀ,୨୫।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ଦଶହରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଉ କହିଛନ୍ତି ଦଶହରା କେବଳ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ନୁହେଁ ବରଂ ସଙ୍କଟ ଉପରେ ବିଜୟର ଉତ୍ସବ।

ରବିବାର ମନ କି ବାତ’ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ସବ ଆସୁଥିବାରୁ ଲୋକମାନେ କିଣାକିଣି କରିବେ। ଆପଣ ଭୋକାଲ ଫର ଲୋକାଲ ବାର୍ତ୍ତା ମନେରଖି ସ୍ୱଦେଶୀ ସାମଗ୍ରୀ କିଣିବା ଜରୁରୀ। ସେ କହିଲେ “ଆମକୁ ସେହି ସାହସୀ ସୈନିକମାନଙ୍କୁ ମଧ୍ୟ ମନେ ରଖିବାକୁ ପଡିବ, ଯେଉଁମାନେ ଏହି ଉତ୍ସବ ସମୟରେ ସୀମାରେ ଭାରତ ମାତାଙ୍କର ସେବା ଓ ସୁରକ୍ଷା କରୁଛନ୍ତି। ତେଣୁ ଭାରତ ମାତାର ଏହି ସାହସୀ ପୁଅ ଓ ଝିଅମାନଙ୍କ ସମ୍ମାନାର୍ଥେ ଏକ ଦୀପ ଜାଳିବାକୁ ପଡିବ। ମୁଁ ମୋର ସାହସୀ ସୈନିକମାନଙ୍କୁ କହିବାକୁ ଚାହେଁ ଯଦିଓ ଆପଣ ସୀମାରେ ଅଛନ୍ତି, ସମଗ୍ର ଦେଶ ଆପଣଙ୍କ ସହିତ ଅଛି। ମୁଁ ସେହି ପରିବାରର ବଳିଦାନକୁ ଶୁଭେଚ୍ଛା ଜଣାଉଛି ଯାହାର ପୁଅ ଓ ଝିଅ ଆଜି ସୀମାରେ ଅଛନ୍ତି।

ସେହିପରି ମୋଦୀ କହିଲେ ଖଦି ଆଜି ଇକୋ-ଫ୍ରେଣ୍ଡଲି କପଡା ଭାବରେ ଜଣାଶୁଣା। ଏହା ମଧ୍ୟ ଶରୀର ପାଇଁ ଅନୁକୂଳ କପଡା। ମେକ୍ସିକୋର ଓହାକା ସହର ବିଷୟରେ ଉଲ୍ଲେଖ କରି ସେ କହିଲେ ସେଠାର ଖଦି ଓହାକା ନାମରେ ପ୍ରସିଦ୍ଧ। ଓହାକାର ଜଣେ ଯୁବକ ମାର୍କ ବ୍ରାଉନ ଗାନ୍ଧିଜୀଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ମେକ୍ସିକୋ ଯାଇ ଖଦି କାମ ଆରମ୍ଭ କରିଥିଲେ।