୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୨୫।୧୦: ନିକଟରେ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଡିପ୍ରେସନ ଦୁର୍ବଳ ହୋଇଥିବା ବେଳେ ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଅକ୍ଟୋବର ୨୯ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ଅକ୍ଟୋବର ୨୯ ଯାଏ ରାଜ୍ୟରେ ପାଣିପାଗ କେମିତି ରହିବ ସେନେଇ ପାଣିପାଗ ବିଭାଗ ଆକଳନ କରିଛି।

ଅକ୍ଟୋବର ୨୫ରେ ଉପକୂଳ ଓଡ଼ିଶା ଜିଲ୍ଲା ଗୁଡ଼ିକରେ, ତଥା କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିପାରେ। ଅକ୍ଟୋବର ୨୬ରେ ଉପକୂଳ ଓଡ଼ିଶା ଜିଲ୍ଲା ଗୁଡ଼ିକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିପାରେ। ସେହିପରି ଅକ୍ଟୋବର ୨୭ରେ ଉପକୂଳ ଓଡ଼ିଶା ଜିଲ୍ଲା ଗୁଡ଼ିକ, ମାଲକାନଗିରି, କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଓ ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।