ହୀରାକୁଦ‌କୁ ଜଳ ପ୍ରବେଶ କମିଛି

ଭୁବନେଶ୍ୱର,୩୦।୦୮ : ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲା ଯାଇଛି। କିନ୍ତୁ ଆଜି ଭୋର ୪ଟାରୁ ହୀରାକୁଦ ଡ୍ୟାମ୍‌କୁ ଜଳ ପ୍ରବେଶ କମିଛି। ଆଗକୁ ଆହୁରି କମିବ ବୋଲି ଆଶା କରାଯାଉଛି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ସେ କହିଛନ୍ତି ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ମୁଣ୍ଡଳିରେ ଏହି ସ୍ଥିତି ଜାରି ରହିପାରେ।
ସେହିପରି ଆଜି ସକାଳ ୬ଟା ସୁଦ୍ଧା ମହାନଦୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ବନ୍ୟାଜଳ ଯୋଗୁ ମହାନଦୀ ଅବବାହିକାରେ ଥିବା ବୌଦ୍ଧ ଜିଲ୍ଲାର ହରଭଙ୍ଗା, ସୁବର୍ଣ୍ଣପୁରର ଉଲୁଣ୍ଡା, ବରଗଡ଼ର ଅମ୍ବାଭୋନା, ଝାରସୁଗୁଡ଼ାର ଲଖନପୁର ଆଦି ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ମହନଦୀରେ ପାଣି ବଢିବା ଯୋଗୁ କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।