ଜାତିସଙ୍ଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ ହେଲେ ଓଡ଼ିଆ ଝିଅ ଅର୍ଚ୍ଚନା ।

ଭୁବନେଶ୍ୱର,୨୯/୭: ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ଝିଅ ଅର୍ଚ୍ଚନା ସୋରେଙ୍ଗ ଜାତିସଙ୍ଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଏହି ଗୋଷ୍ଠୀରେ ଥିବା ଅନ୍ୟ ୭ ଜଣଙ୍କ ସହ ସାମିଲ ହୋଇ ସେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଏ ସମ୍ପର୍କରେ ଜାତିସଙ୍ଘ ମହାସଚିବ ଟ୍ୱିଟ କରି ସୂଚନା ଦେଇଛନ୍ତି। ପାଣିପାଗ ସମ୍ପର୍କରେ କାର୍ଯ୍ୟ କରୁଥିବା ଅର୍ଚ୍ଚନା ଖଡ଼ିଆ ଜନଜାତିର ଝିଅ ହୋଇଥିବାବେଳେ ରାଉରକେଲାର ଅଧିବାସୀ ଅଟନ୍ତି। ପାଟଣା ମହିଳା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କଲା ପରେ ସେ ମୁମ୍ବାଇସ୍ଥିତ ଟାଟା ଇନସ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(ଟିସ୍)ରେ ଶିକ୍ଷା ଗ୍ରହଣ କରିଥିଲେ। ସେ ଆଦିବାସୀ ଚେତନା ମଞ୍ଚର ଆବାହିକା ଥିଲେ। ଏଥିସହ ସେ ଅଲ ଇଣ୍ଡିଆ କ୍ୟାଥଲିକ୍ ୟୁନିଭର୍ସିଟି ଫେଡେରେସନ (ଏଆଇସିୟୁଏଫ)ର ପଦାଧିକାରୀ ଥିଲେ। ଟିସ୍ ଛାତ୍ରସଂସଦର ସଭାନେତ୍ରୀ ଭାବେ ନିର୍ବାଚିତ ଅର୍ଚ୍ଚନା ଏବେ ଜଙ୍ଗଲ ଅଧିକାର ସଂକ୍ରାନ୍ତ ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଚ୍ଚନାଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ଅର୍ଚ୍ଚନାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।