ନବରଙ୍ଗପୁର : ରାଇଘର ବ୍ଲକର ଦୁଇଜଣ ଆଦବାସୀ ଝିଅ ସୁନୀତା ଗଣ୍ଡ ଓ ମାୟାବତୀ ଗଣ୍ଡ ଏକ ସିଲେଇ କମ୍ପାନୀରେ ଦଶ ହଜାର ଟଙ୍କା ପାଇଁ ତାମିଲନାଡୁରେ ଅଟକ ଥିବା ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଗତକାଲି ସନ୍ଧ୍ୟାରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଉଦ୍ୟମରେ ୧୧ଜଣ ଯୁବତୀ ତିର୍ପୁର ଜିଲ୍ଲା ଅବିନାଶ ଅଞ୍ଚଳରୁ ଓଡିଶା ଫେରୁଛନ୍ତି। ଏ ମଧ୍ୟରେ ରହିଛନ୍ତି ସୋନପୁର, କନ୍ଧମାଳ, ନୟାଗଡ ଜିଲ୍ଲାର ଫସିଥିବା ଯୁବତୀ।
ପୂର୍ବତନ ସାଂସଦ ଶ୍ରୀ ମାଝୀ ଓଡ଼ିଶା ପିସିସି ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ରଙ୍କ ସହାୟତାରେ ତାମିଲନାଡୁ ଅତିରିକ୍ତ ଡିଜିପି ରାଜେଶ୍ ଦାସଙ୍କ ସହିତ ଯୋଗଯୋଗ କରିବା ପରେ ସ୍ଥାନୀୟ ପୋଲିସ ଗତକାଲି ସନ୍ଧ୍ୟା ଏହି ଯୁବତୀମାନଙ୍କୁ ସିଲେଇ କମ୍ପାନୀରୁ ଉଦ୍ଧାର କରିଥିଲା। ସେମାନଙ୍କୁ ଟ୍ରାଭେଲ ଏଜେନ୍ସିର ବସ୍ ଯୋଗେ ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ ଓଡ଼ିଶା ଫେରେଇ ଆଣିବାର ସବନ୍ଦୋବସ୍ତ କରାଯାଇଥିବା ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଅଟକ ଯୁବତୀଙ୍କ ଉଦ୍ଧାର ପାଇଁ ଶ୍ରୀ ମାଝୀ ସହାୟତା କରିଥିବାରୁ ଯୁବତୀମାନେ ଓ ସେମାନଙ୍କ ପରିବାର ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। (ଏଜେନ୍ସି)