ଶିଶୁ ଅନନ୍ତ ଆଶ୍ରମର ୫୪ ତମ ବାର୍ଷିକ ମେଳା ମହୋତ୍ସବ ଅବସରରେ ବଳଦେବ ନବରାତ୍ର |

ତିର୍ତ୍ତୋଲ(ମାନସ କୁମାର ସୂତାର):- ବିଶ୍ଵପ୍ରେମୀ ପଦ୍ମଶ୍ରୀ ବାବା ବଳିଆଙ୍କ ପରିବାରତୀର୍ଥ ଶିଶୁଅନନ୍ତ ଆଶ୍ରମରେ “ବଳଦେବ ନବରାତ୍ର” ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ବଡ ଠାକୁର ଶ୍ରୀ ବଳଦେବଙ୍କ ତତ୍ତ୍ଵ,ଲୀଳା ଏବଂ ରହସ୍ୟ ଆଦିକୁ ଆଲୋଚନା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯିବା ହେଉଛି ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ । ଅରିଲୋ ସ୍ଥିତ ପରିବାର ତୀର୍ଥ ଶିଶୁ ଅନନ୍ତ ଆଶ୍ରମର ୫୪ ତମ ବାର୍ଷିକ ମେଳା ମହୋତ୍ସବ ଅବସରରେ, ଅପରାଧ ବିମୋଚନ ଯଜ୍ଞ ଏବଂ ବଳଦେବ ନବରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ପଦ୍ମଶ୍ରୀ ଶ୍ରୀମଦ ବାବା ବଳିଆଙ୍କ ପୌରହିତ୍ୟରେ ଆୟୋଜିତ ବଳଦେବ ନବରାତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରି ବାବା ବଳିଆ କହିଲେ ଯେ, ଜଗତର ପ୍ରତ୍ୟେକ ବଳ ହିଁ ବଳଦେବଙ୍କ ପ୍ରତୀକ | ବାୟୁ, ବହ୍ନି, ବସୁଧା, ଆଦି ପ୍ରକୃତିର ବଳ ହିଁ ବଳଦେବ ଚେତନା | ମଣିଷ ସମେତ ପ୍ରତିଟି ଜୀବମାନଙ୍କ ମଧ୍ୟରେ ପ୍ରଭୁ ବଳଦେବ ସାମର୍ଥ୍ୟ ରୂପରେ ବିରାଜିତ | ବଳଦେବ କୃଷି ଏବଂ କୃଷକର ଦେବତା ଅଟନ୍ତି | ଶିଶୁଅନନ୍ତ ଆଶ୍ରମର ଅନ୍ତରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ନିଜ ବକ୍ତବ୍ୟରେ କହିଲେ ଯେ, ପ୍ରାଚୀନ ଭାରତରେ ବଳଦେବ ଏବଂ ବାସୁଦେବ ହିଁ ରାଷ୍ଟ୍ରଦେବତା ରୂପରେ ପୂଜା ପାଉଥିଲେ | ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମର ୨୨00 ବର୍ଷ ପୂର୍ବରୁ ଭାରତ ବର୍ଷରେ ଭାଗବତ-ଧର୍ମ ସୁପ୍ରତିଷ୍ଠିତ ଥିଲା | ସେଠାରେ ବାସୁଦେବ ଏବଂ ଶଙ୍କର୍ଷଣ ହିଁ ପରମ ଉପାସୀ ଥିଲେ | ପରବର୍ତ୍ତୀ ସମୟରେ ସେହି କ୍ରମରେ ଉତ୍କଳ ଭୂମିରେ ମଧ୍ୟ ବାସୁଦେବ ଜଗନ୍ନାଥ ରୂପରେ ପୂଜିତ ହେଲେ ଏବଂ ଶଙ୍କର୍ଷଣ ବଳଦେବ ରୂପରେ ପୂଜା ପାଇଲେ | କୃଷକ ଏବଂ ସୈନିକଙ୍କର ଆଦର୍ଶ ବଳଦେବ ଥିଲେ | ନଅ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗବେଷକ,ବୁଦ୍ଧିଜୀବୀ ତଥା ଶ୍ରଦ୍ଧାଳୁ ମାନେ ଯୋଗଦେଇ ବଳଦେବ ଚେତନା ଓ ରହସ୍ୟ ତତ୍ୱକୁ ଶ୍ରବଣକରି କୁତାର୍ଥ ହେଉଥିବାର ଦେଖିବାକୁ ମିଳୁଛି |