ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ: ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୯।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ । ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଭୀଷଣ ହେବ। ଫଳରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ତେଣୁ ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଧୀବରମାନଙ୍କୁ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି କହିଛନ୍ତି ।

ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଛି। ବଂଶଧାରା, ନାଗାବଳୀ ଓ ଋଷିକୁଲ୍ୟା ଆଦି ନଦୀର ଜଳସ୍ତର ହ୍ରାସ କରାଯାଇଛି । ଡ୍ୟାମରୁ ଜଳସ୍ତର 65ରୁ 70 ଭିତରେ ରଖାଯାଇଛି । ସେହିପରି ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ବାଲିବସ୍ତା ଓ ବାଉଁଶ ରଖାଯାଇଥିବା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।