ଲକ୍‌ଡାଉନ୍‌ ସମୟରେ ନିର୍ବାଚନ କାର୍ଯ୍ୟକୁ ଅନୁମତି

ଭୁବନେଶ୍ୱର,୨।୫:: ସାରା ରାଜ୍ୟରେ ମେ ୫ରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍ । ଏହି ସମୟରେ ସମସ୍ତ ସାଧାରଣ ଗତିବିଧି ବନ୍ଦ ରହିବ । କେବଳ ଜରୁରୀକାଳିନ ତଥା ଅତ୍ୟାବଶ୍ୟକ ସେବାକୁ ରୋକ୍ ଲାଗିବ ନାହିଁ ।କୋଭିଡ୍ ନିୟମରେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଅନୁମତି ରହିଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଭଳି କାର୍ଯ୍ୟ ନେଇ ସନ୍ଦେହ ରହିଥିବା ବେଳେ ପିପିଲି ଉପ ନିର୍ବାଚନ ଅଟକିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଅଙ୍କୁଶ ରହିଥିବା ବେଳେ କୋଭିଡ୍ ଗାଇଡଲାଇନ୍ ଭିତରେ ପିପିଲି ଭୋଟ୍‌କୁ ଅନୁମତି ମିଳିଛି । ଲକ୍‌ଡାଉନ୍‌ ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଟ୍ରେନିଂ, ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ଯିବା ଆସିବା ପାଇଁ ଅନୁମତି ରହିଛି ।

ସୂଚନାଯୋଗ୍ୟ, ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ଉପ ନିର୍ବାଚନ ପାଇଁ ମତଦାନ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ ୧୩ ତାରିଖରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।

କିନ୍ତୁ ମେ ୧୩ ତାରିଖରେ ଇଦ୍‌-ଉଲ୍‌- ଫିତର ଥିବାରୁ ମତଦାନ ହେବ ନାହିଁ । ପୁନଶ୍ଚ ମେ ୧୬ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ଏହା ସହିତ ୧୯ ତାରିଖ ଭୋଟ ଗଣତି ଏବଂ ସେହିଦିନ ହିଁ ଫଳ ପ୍ରକାଶ ପାଇବ ।

ପ୍ରକାଶ ଥାଉକି, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ପକ୍ଷରୁ ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।